ସତ୍ୟ ଓ ନ୍ୟାୟର ପରିଭାଷା ପୋଲିସ ପାଖରୁ ଆରମ୍ଭ ହୁଏ: ଡ଼ିଜିପି
ଭୁବନେଶ୍ୱର: ରାଜ୍ୟ ପୋଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ୟ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୋଲିସ ଗ୍ରାଉଣ୍ଡ ପରିସରରେ ୬୯ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଏହି ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରୁ ୩୧୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ୪୧ ଜଣ ଇନ୍ସପେକ୍ଟର, ୪୪ ଜଣ ଏସ.ଆଇ, ୬୩ ଜଣ ଏ.ଏସ.ଆଇ,୧୪୨ ଜଣ କନଷ୍ଟେବଳ ଏବଂ ୨୩ ଟି ପୋଲିସ ଶ୍ଵାନ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।
ଏହି ଅବସରରେ ଡ଼ିଜିପି ଶ୍ରୀ ଖୁରାନିଆ ସତ୍ୟ ଓ ନ୍ୟାୟର ପରିଭାଷା ପୋଲିସ ପାଖରୁ ଆରମ୍ଭ ହୁଏ ଏବଂ ନ୍ୟାୟ ଦେବାର ମୂଳ ପିଣ୍ଡ ହେଉଛି ପୋଲିସ ବୋଲି ନିଜ ଉଦବୋଧନରେ ମତବ୍ୟକ୍ତ କରିଥିଲେ । ଅପରାଧ ନିରାକରଣ ଏବଂ ଅପରାଧ ଅନୁସନ୍ଧାନ ପୋଲିସର ମୁଖ୍ୟ ଦାୟିତ୍ଵ ବୋଲି ଡିଜିପି କହିବା ସହ ଦୋଷୀଟିଏ ଉପଯୁକ୍ତ ଦଣ୍ଡ ପାଇବାରେ ପୋଲିସର ମୁଖ୍ୟ ଭୂମିକା ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ। ପୋଲିସର ତଦନ୍ତ ସଠିକ ହୋଇନଥିଲେ ଦୋଷୀଟିଏ ଖସି ଯିବାର ବହୁତ ସମ୍ଭାବନା ଥାଏ ତେଣୁ ବୈଜ୍ଞାନିକ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ଦୋଷୀ ସାବ୍ୟସ୍ତ ହାରରେ ଉନ୍ନତି ସଂକ୍ରାନ୍ତରେ ସେ ଗୁରୁତ୍ଵାରୋପ କରିଥିଲେ ।
ଦେଶରେ ନୂତନ ଭାବେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ଅଧିନିୟମ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ପୋଲିସ ଅଧିକାରୀଙ୍କ ବୃତ୍ତିଗତ ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ କୌଶଳ ମାଧ୍ୟମରେ ଅନୁସନ୍ଧାନ କରି ତ୍ଵରିତ ନ୍ୟାୟ ପ୍ରଦାନ କରିବା ଉପରେ ଡିଜିପି ଶ୍ରୀ ଖୁରାନିଆ ଗୁରୁତ୍ଵାରୋପ କରିଥିଲେ।
ବର୍ତ୍ତମାନ ପରିସ୍ଥିତିରେ ଅପରାଧର ପରିଭାଷାରେ ପରିବର୍ତ୍ତନ ହୋଇଛି । ସାଇବର ଅପରାଧ, ସୋସିଆଲ ମିଡିଆ ଅପରାଧ, ବ୍ୟାଙ୍କ ଠକେଇ, ନାରୀ ଉପରେ ହେଉଥିବା ଅତ୍ୟାଚାର ଭଳି ଅପରାଧକୁ ଯଥା ଶୀଘ୍ର ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦେବା ଆମ ସମସ୍ତଙ୍କର ପ୍ରାଥମିକତା କର୍ତ୍ତବ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଆଗାମୀ ଦିନରେ ପୋଲିସର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଫରେନସିକ ତଦନ୍ତ ଏବଂ ସାଇବର ଅପରାଧରେ ଦକ୍ଷତା ହାସଲ ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ଡିଜିପି ମତବ୍ୟକ୍ତ କରିଥିଲେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଆଙ୍ଗୁଳି ଛାପ, କମ୍ପୁଟର ଜ୍ଞାନ କୌଶଳର ଦକ୍ଷତା, ଫଟୋଗ୍ରାଫି, ନିରୀକ୍ଷଣ ପରୀକ୍ଷା, ସାଇବର ଅପରାଧ ଓ ସଂନିରୀକ୍ଷଣ, ପୋଲିସ ଆଇନ କାନୁନ, ପୋଲିସ ରୂପଚିତ୍ର, ମେଡିକୋ-ଲିଗାଲ, ପୋଲିସ ଶ୍ଵାନଙ୍କ କୌଶଳ ପ୍ରଦର୍ଶନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ରାଜ୍ୟ ଅପରାଧ ଅନୁସନ୍ଧାନ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେଉଛି । ଏହି ଅବସରରେ ଶ୍ରୀ ମିଶ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇ.ଜି ସଫିନ ଅହମ୍ମଦ କେ. ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ପୋଲିସର ବହୁ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
Powered by Froala Editor