ରୋଷେଇ ଘରେ ଅଇଁଠା ବାସନ ଅଧିକ ସମୟ ପଡ଼ି ରହିବା ଧନହାନୀର ମୁଖ୍ୟ କାରଣ
![ରୋଷେଇ ଘରେ ଅଇଁଠା ବାସନ ଅଧିକ ସମୟ ପଡ଼ି ରହିବା ଧନହାନୀର ମୁଖ୍ୟ କାରଣ](https://odishanewslens.com/news_gallery/34104_1733879916.jpg)
ଘରର ରୋଷେଇ ଘର କେବଳ ଖାଦ୍ୟ ପ୍ରସ୍ତୁତି କରିବାର ସ୍ଥାନ ନୁହେଁ ବରଂ ଘରର ସୁଖସମୃଦ୍ଧି, ହସଖୁସି, ଉନ୍ନତି ଓ ଉତ୍ତମ ସ୍ବାସ୍ଥ୍ୟର ପ୍ରତୀକ। ରୋଷେଇ ଘରେ ଥିବା ଶକ୍ତିର ସିଧାସଳଖ ପ୍ରଭାବ ଅନ୍ୟ କକ୍ଷ ଓ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ ପଡ଼ିଥାଏ। ରୋଷେଇ ଘରର ସକରାତ୍ମକ ଶକ୍ତି ଉନ୍ନତି ବୃଦ୍ଧି କରିଥାଏ। ବାସ୍ତୁ ଶାସ୍ତ୍ରରେ ରୋଷେଇ ଘର ପାଇଁ ଅନେକ ନିୟମ ବର୍ଣ୍ଣନା କରାଯାଇଛି।
ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ କରୁଥିବା କିଛି ଭୁଲ୍ ଘରର ସଦସ୍ୟଙ୍କ ସମସ୍ୟା ଓ ଆର୍ଥିକ ସମସ୍ୟା ଲାଗି ରହିଥାଏ। ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ। ଜାଣନ୍ତୁ ସେହି ଭୁଲ୍ ବିଷୟରେ..
ହିନ୍ଦୁ ଧର୍ମରେ ରୋଷେଇ ଘର ପୂଜା କକ୍ଷ, ଶୋଇବା କକ୍ଷ, ବୈଠକ କକ୍ଷ ଭଳି ମହତ୍ତ୍ବପୂର୍ଣ୍ଣ।
ତେଣୁ ଶାସ୍ତ୍ର ଅନୁସାରେ ରୋଷେଇ ଘରେ ରଖାଯାଉଥିବା କିଛି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ଅନେକ ଲୋକଙ୍କ ଅଭ୍ୟାସ ଖାଦ୍ୟପେୟର ଜିନିଷ ଯେପରି ସଉଦା,ଆଳୁ, ପିଆଜ, ସବୁଜ ପନିପରିବା, ଫଳ ଓ ଅନ୍ୟ ଜିନିଷ ଅଧିକ ପରିମାଣରେ କିଣନ୍ତି। ମାତ୍ର ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବା ପରେ ତାହା ବଳକା ରହି ନଷ୍ଟ ହୋଇଯାଏ। ବାସ୍ତୁ ଅନୁସାରେ ନଷ୍ଟ ହୋଇଯାଇଥିବା ଜିନିଷ ରୋଷେଇ ଘରେ ରହିବା ଦ୍ବାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।
ଏହା ଧନହାନୀ କରିବା ସହ କାଙ୍ଗାଳ କରି ଦେଇଥାଏ। ରୋଷେଇ ଘରେ ଖାଦ୍ୟ ଜିନିଷ ନଷ୍ଟ ହେବା ଦ୍ବାରା ମା’ଲକ୍ଷ୍ମୀ, ଭଗବାନ କୁବେର ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଘରେ ସର୍ବଦା ଧନର ଅଭାବ ଲାଗି ରହିଥାଏ।
ରୋଷେଇ ଘର ଧନ ଓ ସମୃଦ୍ଧିର ପ୍ରତୀକ। ଏଠାରେ ହେଉଥିବା ଛୋଟ ଛୋଟ ଭୁଲ୍ ଜୀବନରେ ଅନେକ ପ୍ରଭାବ ପକାଇଥାଏ। ଆଳୁ, ପିଆଜ, ପରିବା ଅଧିକ ଦିନ ରଖି ନଷ୍ଟ କରନ୍ତୁ ନାହିଁ। ଏହାଦ୍ବାରା ଧନହାନୀ ହୋଇଥାଏ। ବିଶେଷ କରି ଆଳୁ ସାମାନ୍ୟ ନଷ୍ଟ ହେଲେ ଏହାକୁ ରଖନ୍ତୁ ନାହିଁ। ଏହାଦ୍ବାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହେବା ସହ ଅଯଥାରେ ଧନ ଖର୍ଚ୍ଚ ହୋଇଥାଏ। ଧନହାନୀ ଲାଗି ରହିଥାଏ।
ବାସ୍ତୁ ଅନୁସାରେ ରୋଷେଇ ଘରକୁ ଧନ ଆଗମନର କେନ୍ଦ୍ର ବୋଲି କୁହାଯାଏ। ଅନେକ ଲୋକେ ରାତିରେ ରୋଷେଇ ଘରେ ଅଇଁଠା ବାସନ ସକାଳ ଯାଏଁ ପକାଇ ରଖି ଥାଆନ୍ତି। ମାତ୍ର ଏପରି ଭୁଲ୍ କରନ୍ତୁ ନାହିଁ। ଏହାଦ୍ବାରା ଯେତେ ରୋଜଗାର କଲେ ମଧ୍ୟ ନିଅଣ୍ଟ ହୋଇଥାଏ। ସୁର୍ୟୋଦୟ ସମୟରେ ଅଇଁଠା ବାସନ ପକାଇ ରଖିବା ଦ୍ବାରା ଘରେ ଧନର ଅଭାବ ଲାଗି ରହିଥାଏ।
ଅଇଁଠା ବାସନ ଅଧିକ ସମୟ ପଡ଼ି ରହିବା ଧନହାନୀର ମୁଖ୍ୟ କାରଣ। ଏହାଦ୍ବାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି। ଘରେ କଳହ ଓ ଅଶାନ୍ତି ଲାଗି ରହିଥାଏ।
Powered by Froala Editor