ପିପିଲିରେ କଂଗ୍ରେସ ପ୍ରାର୍ଥୀ କରୋନା ଆକ୍ରାନ୍ତ

ଭୁବନେଶ୍ୱର : କରୋନା ସଂକ୍ରମଣ ହୁହୁ ହୋଇ ବଢ଼ୁଥିବାବେଳେ ପିପିଲିରେ ଉପନିର୍ବାଚନ ମାହୋଲ ସରଗରମ ହୋଇଯାଇଛି । ଶୋଭାଯାତ୍ରା ସମାବେଶରେ ପିପିଲି କମ୍ପୁଛି । ସାରା ଓଡ଼ିଶାର ନେତାମାନେ ଏବେ ପିପିଲିରେ ଡେରା ବାନ୍ଧିଛନ୍ତି । ତେବେ ଏସବୁ ଭିତରେ ପିପିଲିରେ କରୋନା କାୟା ମେଲାଇବାର ଆଶଙ୍କା ସୃଷ୍ଟି ହୋଇଛି । କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଅଜିତଙ୍କୁ କରୋନା ହୋଇଥିବା ଜଣାପଡ଼ିବା ପରେ ତାଙ୍କର ସହଯୋଗୀମାନଙ୍କ ମଧ୍ୟରୁ ଅନେକ ଆକ୍ରାନ୍ତ ହୋଇଥିବେ ବୋଲି ଅନୁମାନ କରାଯାଉଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଇସୋଲେସନରେ ରହିଛନ୍ତି ।
ନିରଞ୍ଜନଙ୍କ ସମେତ ଅନେକ କଂଗ୍ରେସ ନେତା ନିଜ ଆଡୁ ହୋମ ଆଇସୋଲେସନରେ ରହିବାକୁ ବାଧ୍ୟ ହୋଇଛନ୍ତି । ଏସବୁ ଭିତରେ ୧୧ରେ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲାକୁମାର ଭୁବନେଶ୍ୱର ଆସୁଥିବାବେଳେ ୧୨ରେ ସେ ପିପିଲିରେ ପ୍ରଚାର କରିବେ । ତେବେ ନିର୍ବାଚନ ପାଇଁ ଆଉ ୭ ଦିନ ହାତରେ ଥିବାବେଳେ ନିଜେ ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇପାରିବେ ନାହିଁ । ଅଜିତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଡେଲାଙ୍ଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ଥିତି ନସୁଧୁରିବାରୁ ଅଜିତଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସ୍ୱାବ ପରୀକ୍ଷା ପରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି ।