ପ୍ରଥମ ଦିନରୁ ହିଁ ରେକର୍ଡ ଭାଙ୍ଗିଲା ପୁଷ୍ପା-୨ : ଆର୍ଆର୍ଆର୍କୁ ପଛରେ ଛାଡ଼ିଲା
ଅଲ୍ଲୁ ଅର୍ଜୁନଙ୍କ ଚଳଚ୍ଚିତ୍ର ‘ପୁଷ୍ପା ୨: ଦି ରୁଲ୍’ ଡିସେମ୍ବର ୫ରେ ପରଦାକୁ ଆସିଛି। ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।
ଏବେ ସମସ୍ତଙ୍କ ନଜର ଏହି ଚର୍ଚ୍ଚିତ ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ଉପରେ। ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଏହି ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ଜବରଦସ୍ତ ଆୟ କରିଛି। ପ୍ରଥମ ଦିନରେ ଏହି ଫିଲ୍ମ ଏସଏସ ରାଜାମୌଲୀଙ୍କ ଓସ୍କାର ବିଜୟୀ ଚଳଚ୍ଚିତ୍ର ‘ଆରଆରଆର’କୁ ପଛରେ ପକାଇ ବକ୍ସ ଅଫିସରେ ନୂଆ ରେକର୍ଡ଼ ସୃଷ୍ଟି କରିଛି। ପ୍ରାୟ ୫୦୦ କୋଟି ଟଙ୍କାର ବଜେଟ୍ରେ ନିର୍ମିତ ‘ପୁଷ୍ପା ୨’ ପ୍ରଥମ ଦିନରେ ମୋଟ୍ ୧୭୫.୧ କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ଆରଆରଆର ରିଲିଜର ପ୍ରଥମ ଦିନରେ ୧୫୬କୋଟି ଆୟ କରିଥିବା ବେଳେ 'ପୁଷ୍ପା ୨: ଦି ରୁଲ୍' ଏହାକୁ ଟପିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଆଗକୁ ଫିଲ୍ମଟି ଇତିହାସ ରଚିବ ବୋଲି ଆଶା କରାଯାଉଛି।
ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ଼, ମାଲାୟାଲମ ଭାଷାରେ ୧୨ ହଜାର ପରଦାରେ ମୁକ୍ତିଲାଭ କରିଛି ଏହି ଚଳଚ୍ଚିତ୍ର। ବକ୍ସ ଅଫିସ ସହ ନିର୍ମାତା ଓଟିଟି ରାଇଟ୍ସ ବିକ୍ରି କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରିଛନ୍ତି। ଫିଲ୍ମକୁ କିଣିଛି ନେଟଫ୍ଲିକ୍ସ। କିଛି ଦିନ ପରେ ଲୋକେ ଏହାକୁ ନେଟଫ୍ଲିକ୍ସରେ ଦେଖିପାରିବେ। କୁହାଯାଉଛି ଯେ, ସବୁ ଭାଷା ପାଇଁ ଚଳଚ୍ଚିତ୍ରର ଡିଜିଟାଲ୍ ଷ୍ଟ୍ରିମିଂ ରାଇଟ୍ସ କିଣିଛି ନେଟଫ୍ଲିକ୍ସ। ଏଥିପାଇଁ ନେଟଫ୍ଲିକ୍ସ ୨୭୦କୋଟି ଟଙ୍କା ଦେଇଥିବା ସାମ୍ନାକୁ ଆସିଛି।
Powered by Froala Editor