ରେଙ୍ଗାଳି ଜଳ ଭଣ୍ଡାରରୁ କଲରାପତରିଆର ଶବ ଉଦ୍ଧାର
ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ନୂଆଁଡିହି ବିଟର କଣ୍ଠିମାଳ ଗ୍ରାମ ନିକଟସ୍ଥ ରେଙ୍ଗାଳି ଜଳ ଭଣ୍ଡାରରୁ ଏକ କଲରାପତରିଆ ବାଘର ଶବ ଉଦ୍ଧାର କରାଯାଇଛି। ତେବେ ବାଘର କିପରି କାହିଁକି ମୃତ୍ୟୁ ଘଟିଲା ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। କଲରାପତରିଆ ବାଘର ଶବ ଭାସୁଥିବା ସ୍ଥାନୀୟ ଲୋକ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ନିକଟରେ କଳିଙ୍ଗା ସେକ୍ସନରେ ବାଘ ଶିକାର ହୋଇଥିବା ଖବର ପାଇ ବନବିଭାଗ ଦୁଇଟି ସ୍ଥାନରେ ଚଢ଼ାଉ କରିଥିଲା। ଜଣେ ବ୍ୟକ୍ତିଙ୍କ ଘରୁ ଏକ ଦେଶୀ ବନ୍ଧୁକ ପାଇଥିବା ବେଳେ ଅନ୍ୟଜଣକୁ ଏହିଭଳି ଦୁଇ ଜଣକୁ ଆଣି ଅଟକ ରଖି ପଚରାଉଚରା କରିଥିଲା। ଉଭୟଙ୍କୁ ବନ ବିଭାଗ ଗିରଫ କରିଥିଲା।
ରାୟଗଡ଼ା, କନ୍ଧମାଳ, ସମ୍ବଲପୁର, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଏବଂ ଅନୁଗୁଳ ଜିଲ୍ଲାର ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି। ରାଜ୍ୟରେ ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି। ଗତ ଅକ୍ଟୋବର ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶାରେ କଲରାପତରିଆ ବାଘଙ୍କ ସଂଖ୍ୟା ବଢ଼ିଛି। ତେବେ କିଛି ଦିନ ହେଲା କଲରାପତରିଆଙ୍କ ଶିକାର ସରକାରଙ୍କ ଚିନ୍ତା ବଢାଇଛି ।
Powered by Froala Editor