ରେଲଓ୍ୱେ ଷ୍ଟେସନରେ ହୁ ହୁ ଜଳିଗଲା ୨୦୦ ବାଇକ୍
ଉତ୍ତରପ୍ରଦେଶର ବାରଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ଗାଡି ପାର୍କିଂ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୨୦୦ଟି ବାଇକ୍ରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ଏବଂ ପୁଲିସ ବିଭାଗର ଅଧିକାରୀମାନେ ନିଆଁ ଲିଭାଇବାରେ ନିୟୋଜିତ ଅଛନ୍ତି। ତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ପ୍ରାଣ ହରାଇ ନାହାନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବାରଣାସୀର କେଣ୍ଟ ରେଲଓ୍ୱେ ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଥିବା ପାର୍କିଂରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଠାତ୍ ସର୍ଟ ସର୍କିଟ ଯୋଗୁ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ପାର୍କିଂରେ ଅଧିକାଂଶ ରେଲଓ୍ୱେ କର୍ମଚାରୀଙ୍କର ହିଁ ଗାଡି ପାର୍କ ହୋଇଥିଲା। ତେବେ ଅଗ୍ନିଶମ ବାହିନୀକୁ ଏନେଇ ଖବର ଦିଆଯାଇଥିଲେ ସିଦ୍ଧା ଠିକ୍ ସମୟରେ ପହଞ୍ଚି ପାରିନଥିଲା। ତେଣୁ ଶହ ଶହ ଗାଡ଼ି ଜଳି ପୋଡି ପାଉଁଶ ହୋଇଯାଇଥିଲା।
ନିଆଁ ଲାଗିବା ପରେ ରେଲଓ୍ୱେ କର୍ମଚାରୀ ଓ ଆଖପାଖରେ ଥିବା ଲକୋ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏହି ନିଆଁ ଧୀରେ ଧୀରେ ବିକରାଳ ରୂପ ଧାରଣ କରି ପୂରା ପାର୍କିଂକୁ ବ୍ୟାପି ଯାଇଥିଲା। ଏହାକୁ ନେଇ ଲୋକେ ଆତଙ୍କିତ ହୋଇପଡିଥିଲେ। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରାରମ୍ଭିକ ଅନୁସନ୍ଧାନ ଅନୁଯାୟୀ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଛି। ସରକାରୀ ରେଳ ପୁଲିସ (ଜିଆର୍ପି), ରେଳ ସୁରକ୍ଷା ବଳ (ଆରପିଏଫ) ଏବଂ ସ୍ଥାନୀୟ ପୁଲିସ ଟିମ୍ ସହିତ ନିଆଁ ଲିଭାଇବା ପାଇଁ ପ୍ରାୟ ୧୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ।
Powered by Froala Editor