ଗୁଗୁଲ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ, ଖଣ୍ଡିଆ ଫ୍ଲାଏଓଭରରୁ ଖସି ୩ ଜଣଙ୍କ ମୃତ୍ୟୁ
ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ୩ ଜଣଙ୍କ ଜୀବନ ଚାଲିଯାଇଛି । ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେହି ପଟରେ ଗାଡ଼ି ନେଇ ଯାଉଥିବା ବେଳେ ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି।
ଶନିବାର କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣିନଥିବାରୁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।
Powered by Froala Editor