ରାଜପଥରେ ଟଙ୍କା ଆଦାୟ କରୁଥିଲେ ଏମ୍ଭିଆଇ, ଧରିଲା ପୁଲିସ
ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏମ୍ଭିଆଇଙ୍କୁ ଅଟକ ରଖିଛି ବ୍ରହ୍ମପୁର ପୁଲିସ । ତାଙ୍କ ସହ ୨ ଜଣ ଯୁବକଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ଏମ୍ଭିଆଇ ଜଣକ ଜାତୀୟ ରାଜପଥ-୧୬ରେ ଆଞ୍ଚଳିକ ପରିବହନ ବିଭାଗ କର୍ମଚାରୀ ଭାବେ କାର୍ଯ୍ୟରତ । ବିଭିନ୍ନ ନିୟମ ଉଲ୍ଲଙ୍ଘନ ଆଳ ଦେଖାଇ ସେ ଓ ତାଙ୍କ ସହ ଦୁଇଜଣ ଯୁବକ ଟ୍ରକ୍ରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ତେଣୁ ଗୋଳନ୍ଥରା ଥାନାରେ ସେମାନଙ୍କୁ ଜେରା କରାଯାଉଥିବା ବେଳେ ବ୍ରହ୍ମପୁର ଏସ୍ପି ଏହାର ତଦନ୍ତ କରୁଛନ୍ତି ।
ସୂଚନା ଅନୁସାରେ, ଜାତୀୟ ରାଜପଥରେ ଟ୍ରକ୍ଗୁଡ଼ିକରୁ ଗଞ୍ଜାମ ଆର୍ଟିଓ କାର୍ଯ୍ୟାଳୟର କେତେକ କର୍ମଚାରୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏଥିରେ ସ୍ଥାନୀୟ ଯୁବକ ମଧ୍ୟ ସାମିଲ ଥିଲେ । କିଛି ଦିନ ହେଲା ଏଭଳି ଅଭିଯୋଗ ହେଉଥିବାବେଳେ ସୋସିଆଲ୍ ମିଡିଆରେ ମଧ୍ୟ କିଛି ତଥ୍ୟ ଘୂରି ବୁଲୁଥିଲା । ତେଣୁ ବ୍ରହ୍ମପୁଣ ପୁଲିସ ଟିମ୍ ପ୍ରଥମେ ଦୁଇ ଜଣ ଯୁବକଙ୍କୁ କାବୁ କରିଥିଲେ । ସେମାନଙ୍କୁ ପଚରାଉଚରା କରିବା ପରେ ରବିବାର ଏମ୍ଭିଆଇଙ୍କୁ ଧରି ଗୋଳନ୍ଥରା ଥାନାକୁ ଅଣାଯାଇଛି । ଗୋଳନ୍ଥରାରେ ତାଙ୍କୁ ଜେରା କରାଯାଉଛି ।
ଏ ସମ୍ପର୍କରେ ଗଞ୍ଜାମ ଆର୍ଟିଓ ମାନସ ରଞ୍ଜନ ସାହୁ କହିଛନ୍ତି, ଜଣେ ଏମ୍ଭିଆଇଙ୍କୁ ପୁଲିସ ପଚରାଉଚରା କରୁଛି । ବର୍ଷକ ପୂର୍ବେ ପରିବହନ ବିଭାଗର କେତେକ କର୍ମଚାରୀ ରାଜପଥରେ ବେଆଇନ ଭାବେ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିବା ପରେ ତଦନ୍ତ ହୋଇଥିଲା । ପ୍ରମାଣ ନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇ ନଥିଲା । ସୋସିଆଲ୍ ମିଡିଆରେ ଏହି କାରନାମା ସମ୍ପର୍କରେ ଭାଇରାଲ୍ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
Powered by Froala Editor