ପିମ୍ପୁଡ଼ି କରୁଛି କଲବଲ : ନା ଖାଇପାରୁଛନ୍ତି ନା ଶୋଇପାରୁଛନ୍ତି ଏହି ଗାଁର ଲୋକ

ପୁରୀ ଜିଲ୍ଲା ନିମାପଡା ସାହାଦାପଡା ଗାଁରେ ଶହ ଶହ ପିମ୍ପୁଡ଼ି । କଥାଟି ଶୁଣିବା ପାଇଁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୁର୍ଣ୍ଣ ସତ୍ୟ । ପିମ୍ପୁଡିକୁ ଆୟତ୍ତ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଥିଲେ ହେଁ ଏଥିରେ କୌଣସି ସଫଳତା ମିଳିପାରି ନାହିଁ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଆଗରୁ କେବେ ଏଭଳି ପିମ୍ପୁଡି ଦେଖିବାକୁ ମିଳୁ ନଥିଲା। ଏବେ ୬ ମାସ ହେଲା ଯୁଆଡ଼େ ଦେଖିବ ସିଆଡ଼େ ପିମ୍ପୁଡ଼ି। ଏହି ପିମ୍ପୁଡି ଯୋଗୁ ଘରେ ରହିବା କଷ୍ଟକର ହୋଇ ପଡ଼ୁଛି। ପିଇବା ପାଣିଠୁ ଧରି ରୋଷେଇ ଘର ପର୍ଯ୍ୟନ୍ତ ସବୁଆଡେ ପିମ୍ପୁଡି ସାଲୁବାଲୁ। ଘରେ ରୋଷେଇ ହୋଇ ପାରୁ ନ ଥିବା ବେଳେ ଲୋକେ ଉପାସରେ ରହୁଛନ୍ତି।
ଲକ୍ଷ୍ମଣ ରେଖା ଖଡ଼ି ଟାଣି ସମସ୍ତେ ବସି ରହିଥିଲେ ହେଁ ଛୁଆ ଠାରୁ ବଡ଼ ସମସ୍ତେ ଅସ୍ତ ବ୍ୟସ୍ତ ହେଉଛନ୍ତି । ଲକ୍ଷ୍ମଣ ରେଖା ଭିତରେ ରହି ଖାଇବା ଠାରୁ ଶୋଇବା ସବୁ କିଛ ଲକ୍ଷ୍ମଣ ରେଖା ଭିତରେ ହେଉଛି । ପୂର୍ବରୁ ଏଭଳି ନଥିବା ବେଳେ ହଠାତ୍ ପିମ୍ପୁଡି ଆତଙ୍କ ଦେଖାଯିବାରୁ କେହି ଗୁଣି କରିଦେଇଥିବା କଥା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।
ମଣିଷଙ୍କ ଠାରୁ ଗାଇ ଗୋରୁ ପର୍ଯ୍ୟନ୍ତ ସମସ୍ତେ ନାଲି ପିମ୍ପୁଡ଼ି ଆକ୍ରମଣରେ ଆକ୍ରାନ୍ତ । ଲୋକଙ୍କୁ କାମୁଡ଼ିଲା ମାନେ ସେହି କାମୁଡ଼ା ସ୍ଥାନ ଫୁଲି ରକ୍ତ ବାହରୁଛି । ତେବେ ଏନେଇ କୌଣସି ପ୍ରତିକାର ନେବା ପାଇଁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Powered by Froala Editor