ଏକତରଫା ପ୍ରେମରୁ ଅଙ୍ଗନବାଡ଼ି କର୍ମୀଙ୍କୁ ହତ୍ୟା
ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ଅନ୍ତର୍ଗତ ପୂର୍ଣ୍ଣା ଗ୍ରାମର ୨୩ ବର୍ଷୀୟା ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀ ଅଢ଼ାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଗ୍ରାମର ୨୪ ବର୍ଷୀୟ ଯୁବକ ଶରତ କଉଡ଼ି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଦିବ୍ୟାଭାରତୀଙ୍କ ପରିବାର ଲୋକ ଏକ ତରଫା ପ୍ରେମରୁ ଶରତ ଦିବ୍ୟାଭାରତୀକୁ ମାରିଦେଇଛି ବୋଲି କହିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଚଢ଼ଉ ଜାରି ରଖିଛି ।
ଅଭିଯୋଗ ଅନୁଯାୟୀ, ଯୁଲୁମବାହାଲ ପଞ୍ଚାୟତ ପୂର୍ଣ୍ଣା ଗ୍ରାମର ଧନୁର୍ଜୟ ଅଢ଼ା ଏବଂ ସଂଯୁକ୍ତା ଅଢ଼ାଙ୍କ ୩ ପୁଅଝିଅ ଅଛନ୍ତି । ମଝିଆ ଝିଅ ଦିବ୍ୟାଭାରତୀ ଗାଁରେ ଅଙ୍ଗନବାଡ଼ି କର୍ମୀ ଭାବେ କାମ କରୁଥିଲେ । ସେହି ପରିବାର ଚଳାଉଥିଲେ । ବୁଧବାର ଅଙ୍ଗନବାଡି ଯାଇଥିଲେ । ଛୁଟି ପରେ ପ୍ରାୟ ସାଢ଼େ ୧୨ଟାରେ ଘରକୁ ଫେରୁଥିବାବେଳେ ଗାଁ ବସ୍ତି ରାସ୍ତାରେ ତାଙ୍କୁ ଶରତ ଏକ ଧାରୁଆ ଅସ୍ତ୍ରରେ ହାଣି ପକାଇଥିଲା । ରାସ୍ତାରେ ରକ୍ତ ଜୁଡୁବୁଡୁ ମୃତଦେହ ପଡ଼ିଥିବା ନେଇ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକାଙ୍କଠାରୁ ପରିବାର ଲୋକେ ସୂଚନା ପାଇ ହତ୍ୟାକାଣ୍ଡ ସ୍ଥଳକୁ ଯାଇଥିଲେ । ପୁଲିସ୍ ମୃତଦେହ ପଡ଼ିଥିବା ସ୍ଥାନଠାରୁ ପ୍ରାୟ ୩୦ ମିଟର ଦୂରରେ ପଡ଼ିଥିବା ରକ୍ତ ଲାଗିଥିବା ଅସ୍ତ୍ରକୁ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ଦିବ୍ୟାଭାରତୀଙ୍କ ମା’ ସଂଯୁକ୍ତାଙ୍କ କହିବାନୁଯାୟୀ ଶରତ ଝିଅ ଦିବ୍ୟାଭାରତୀକୁ ବିବାହ କରିବାକୁ ଜିଦ୍ କରୁଥିଲା । ବହୁତ ଦିନ ଧରି ହଇରାଣ କରୁଥିଲା । ମୋବାଇଲ୍ ବି ଛଡ଼ାଇ ନେଇଥିଲା । ବିବାହ ନ କଲେ ମାରିଦେବ ବୋଲି ଧମକ ଦେଇଥିଲା ବୋଲି ପୁଲିସକୁ ବୟାନ ଦେଇଛନ୍ତି ।
Powered by Froala Editor