୧୫ ଜିଲ୍ଲାରେ ହେଉଛି ବାଲ୍ୟ ବିବାହ
ଭୁବନେଶ୍ୱର: ରାଜନୀତିରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ଦେଶ ଓ ରାଜ୍ୟରେ ଶାସନର ମଙ୍ଗ ଧରିଲେଣି । ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଚିକିତ୍ସା, ସାହିତ୍ୟ, ଗବେଷଣା, ସମାଜସେବା ଆଦି କେତେ କ୍ଷେତ୍ରରେ ନାଁ କଲେଣି ଓଡ଼ିଆ ଝିଅ । କିନ୍ତୁ ଆଜି ବି ରାଜ୍ୟର ୨୧.୩ ପ୍ରତିଶତ ଝିଅ ସ୍କୁଲରେ ପାଠ ପଢି ଭବିଷ୍ୟତ ଗଢିବା ବୟସରେ ବିବାହ କରି ଘର ସଂସାର କରୁଛନ୍ତି । ପିଲା ବୟସରେ କାଖରେ ପିଲା ଧରି ବୁଲୁଛନ୍ତି । ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଗଜପତିରେ ବାଲ୍ୟ ବିବାହ ହାର ୨୬ ପ୍ରତିଶତରୁ ଅଧିକ ହୋଇଥିବା ବେଳେ କନ୍ଧମାଳ, ବୌଦ୍ଧ, ସୋନପୁର, ଦେବଗଡ଼, ଢେଙ୍କାନାଳ, ବାଲେଶ୍ୱର, କଳାହାଣ୍ଡିର ଏହା ୨୧ ପ୍ରତିଶତରୁ ଅଧିକ ରହିଛି । ମହାମାରୀ ସମୟରେ ଅନାଥ, ବାପା କିମ୍ବା ମା ଛେଉଣ୍ଡଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ ବାଲ୍ୟ ବିବାହ ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି । ମହିଳା ଶିଶୁ କଲ୍ୟାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ; ୨୦୧୭ ମସିହାରେ ୩୨୪, ୨୦୧୮ରେ ୪୧୧, ୨୦୧୯ ରେ ୬୫୭, ୨୦୨୦ ମସିହାରେ ୧୧୦୮ ବାଲ୍ୟ ବିବାହ ଘଟଣାକୁ ପ୍ରଶାସନ ପକ୍ଷରୁ ରୋକାଲଯାଇଥିଲା । ଅର୍ଥାତ ଏହାଠାରୁ ଅଧିକ ସଂଖ୍ୟାରେ ବାଲ୍ୟ ବିବାହ ହେଉଛି । ୨୦୨୧ ମସିହା ମେ’ ମାସ ୨୧ ତାରିଖ ସୁଦ୍ଧା କରୋନା ସମୟରେ ସର୍ବାଧିକ ବାଲ୍ୟ ବିବାହ ହେଉଥିବା ୧୫ଟି ଜିଲ୍ଲାରେ ୭୨୬ ବାଲ୍ୟ ବିବାହକୁ ଭଣ୍ଡୁର କରାଯାଇଛି । ଏଥିମଧ୍ୟରେ କୋରାପୁଟରେ ୬୩, କନ୍ଧମାଳରେ ୯୯, ଗଞ୍ଜାମରେ ୨୭, ଢେଙ୍କାନାଳରେ ୧୯, ନୟାଗଡ଼ରେ ୨୬, ରାୟଗଡ଼ାରେ ୪୮, ବୌଦ୍ଧରେ ୬୩, ଦେବଗଡ଼ରେ ୯, ଗଜପତିରେ ୧୨, ମାଲକାନଗିରିରେ ୯୦, ନବରଙ୍ଗପୁରରେ ୧୧୧, ସୁବର୍ଣ୍ଣପୁରରେ ୫୩, ବାଲେଶ୍ୱରରେ ୧୯, କେନ୍ଦୁଝରରେ ୩୫, ମୟୂରଭଞ୍ଜରେ ୪୯ ଜଣଙ୍କ ବାଲ୍ୟ ବିବାହ ବନ୍ଦ କରାଯାଇଛି ।
Powered by Froala Editor