୨୧ ରୁ ଧାନ କିଣା, ବରଗଡରୁ ହେବ ଶୁଭାରମ୍ଭ

ନଭେମ୍ବର ୨୧ରୁ ଖରିଫ ଧାନର କ୍ରୟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡିଶା ସରକାର। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା । ଚାଷୀଙ୍କ ଠାରୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାରେ କିଣିବେ। ନଭେମ୍ବର ତୃତୀୟ ସପ୍ତାହ ଅର୍ଥାତ୍ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା ପକ୍ରିୟା ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଖରିଫ ଧାନ କିଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରଙ୍କ ଘୋଷଣା ଅନୁଯାୟୀ ଚାଷୀଙ୍କୁ କ୍ୱିଣ୍ଟାଲ ଧାନ ପିଛା ୩୧୦୦ ଟଙ୍କା ପ୍ରଦାନ କରାଯିବ। କ୍ୱିଣ୍ଟାଲ ଧାନ ପିଛା ସର୍ବନିମ୍ନ ସହାୟତା ମୂଲ୍ୟ ୨୩୦୦ ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଇନପୁଟ୍ ସହାୟତା ଭାବରେ ୮୦୦ ଟଙ୍କା ଦେବେ ବୋଲି ସେ କହିଛନ୍ତି।
ଚାଷୀଙ୍କ ସୁରକ୍ଷା ,କଟଣି ଛଟଣି ମୁକ୍ତ ଧାନ କିଣା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଧାନ କ୍ରୟ ପ୍ରକ୍ରିୟା ସୁବ୍ୟବସ୍ଥା ପାଇଁ ପକ୍ରିୟାକୁ ଶେଷ ହେବା ଯାଏ ମଣ୍ଡି ରେ ରହିବେ ଅଧିକୃତ ଅଧିକାରୀ । ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ୱାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନକୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ ପରିବହନ ବିଭାଗ।
Powered by Froala Editor