କଲଭର୍ଟରେ ପିଟି ହୋଇ ବସ୍ ଛିନଛତ୍ର, ୧୨ ଜଣଙ୍କ ମୃତ୍ୟୁ

ରାଜସ୍ଥାନରେ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଗୋଟିଏ ଯାତ୍ରିବାହୀ ବସ୍ ଦ୍ରୁତଗତିରେ କଲଭର୍ଟରେ ପିଟି ହୋଇ ଛିନଛତ୍ର ହୋଇଯାଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସାଲାସରରୁ ଆସୁଥିବା ଏକ ବସ ଅଚାନକ ନିୟନ୍ତ୍ରଣ ହରାଇ ଲକ୍ଷ୍ମଣଗଡ଼ କଲଭର୍ଟ ନିକଟରେ ମାଡ଼ ହୋଇଥିଲା । ଏହି ଦୁର୍ଘଟଣାରେ ବସଟିର ଡ୍ରାଇଭର ସାଇଡ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି । ବସଟିରେ ପାଖାପାଖି ୪୦ ଜଣ ଯାତ୍ରୀ ଆସୁଥିବା ଜଣାପଡ଼ିଛି ।
ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ ଭିତରୁ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଲକ୍ଷ୍ମଣଗଡ଼ ଓ ସୀକର ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେହିପରି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ପଛର କାରଣ ସ୍ପଷ୍ଟ ହୋଇନଥିବା ପୋଲିସ ପକ୍ଷରୁ କୁହାଯାଇଛି । ସେହିପରି ବସ୍ଟି ପୂରା ଛିନଛତ୍ର ହୋଇଯାଇଛି। କ୍ରେନ ଦ୍ୱାରା ବସ୍କୁ ସ୍ଥାନାନ୍ତର କରାଯିବା ସହ ଘଟଣାର ଅଧିକ ତଦନ୍ତ କରାଯାଉଛି।
Powered by Froala Editor