ଦାନା ଭିତରକନିକା ପାଖରେ ଲ୍ୟାଣ୍ଡଫଲ ହେଲେ ଭଲ: ସୁଶାନ୍ତ ନନ୍ଦ

ଭୁବନେଶ୍ୱର: ବାତ୍ୟା ଦାନା ଭିତରକନିକା ପାଖରେ ଲ୍ୟାଣ୍ଡଫଲ ହେଲେ ଭଲ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । କାରଣ ଏଠାରେ ୨୦୦ ବର୍ଗ କିମି ହେନ୍ତାଳ ବଣ ରହିଛି । ହେନ୍ତାଳ ବନ ପବନ ସହ ସମୁଦ୍ର ଜୁଆରକୁ ରୋକିବ । ଯଦି ଗଛ ପଡ଼ି ରାସ୍ତା ବନ୍ଦ ହୁଏ ତେବେ ସେଥିପାଇଁ ୫ଟି ଟିମ ରହିଛି । ଯଦି କୁମ୍ଭୀର ଗାଁକୁ ପଶିଯାଆନ୍ତି ତେବେ ଉଦ୍ଧାର କରିବା ପାଇଁ ୨ଟି ଟିମ ଉଦ୍ଧାର କରିବେ ବୋଲି ଶ୍ରୀ ନନ୍ଦ କହିଛନ୍ତି ।
ଭିତରକନିକାରେ ମାଡ଼ ହୋଇପାରେ ସମ୍ଭାବ୍ୟ ବାତ୍ୟା ‘ଦାନା’ । ଏହା ପ୍ରଭାବରେ ୧୧୦-୧୨୦ କିଲୋମିଟର ବେଗରେ ପବନ ମାଡ଼ ହେବା ଆଶଙ୍କା ରହିଛି । ଏବେ ଚିନ୍ତା ପଡ଼ିଛି, ଏ ବାତ୍ୟାର ପ୍ରଭାବ ଭିତରକନିକା, ଗହୀରମଥାରେ କେମିତି ରହିବ? ବନ୍ୟପ୍ରାଣୀ, ଜୈବ ବିବିଧତା ଉଜୁଡ଼ି ଯିବ କି? ଏଭଳି ସ୍ଥିତିରେ ପରିବେଶବିତ୍ମାନେ ଆଶ୍ୱସ୍ତିକର ମତ ରଖିଛନ୍ତି । କହିଛନ୍ତି, ଏହି ବିପଦବେଳେ ସାହା ହେବ ହେନ୍ତାଳ ବଣ । ଭିତରକନିକାର ଜୈବ ବିବିଧତା ଓ ବନ୍ୟପ୍ରାଣୀଙ୍କୁ ହେନ୍ତାଳ ବଣ ସୁରକ୍ଷା ଦେବ । ପବନର ବେଗରେ ବାଧା ଦେବା ସହ ଜୁଆର ମାଡ଼ରୁ ରକ୍ଷା କରିବ ।
ପରିବେଶବିତଙ୍କ କହିବାନୁସାରେ ସମୁଦ୍ର ତଟରେ ହେନ୍ତାଳ ବଣ ଉପକୂଳ ଅଞ୍ଚଳ ପାଇଁ ସୁରକ୍ଷା ପ୍ରାଚୀର ଭଳି କାମ କରିଥାଏ । ଭିତରକନିକାରେ ବିଶେଷ କ୍ଷୟକ୍ଷତି ହେବାକୁ ରୋକିବ ହେନ୍ତାଳ ବଣ । ହେନ୍ତାଳ ଗଛ ପବନରେ ଭାଙ୍ଗିବା କଷ୍ଟ । ଏହା ଅଧିକ ଘଞ୍ଚ ହୋଇଥିବାରୁ ପବନ ଏଥିରେ ମାଡ଼ ହେବା ପରେ ବେଗ କମିଯାଏ । ବଡ଼ କଥା ହେଲା, ହେନ୍ତାଳର ମୂଳ ଏଭଳି ଯେ ଜୁଆର ଆସିଲେ ବି ଏହା ବାଧା ଦେଇଥାଏ । ମୂଳ ପାଶ୍ୱର୍ରେ ଛୋଟ ଛୋଟ ନାଳ ଭଳି ଥିବାରୁ ଏହା ସମୁଦ୍ର ଜୁଆରକୁ ଭାଗ ଭାଗ କରିଦିଏ । ତେଣୁ ଜୁଆର ମାଡ଼ ହେଲାବେଳେ ତା’ର ଶକ୍ତି ବି କମିଯାଏ । ଏହା ପ୍ରଭାବରେ ସମ୍ଭାବ୍ୟ ବାତ୍ୟା ସିଧା ଭିତରକନିକାରେ ମାଡ଼ ହେଲେ ବି ବେଶି କ୍ଷୟକ୍ଷତି କରିପାରିବନି । ବରଂ ଭିତରକନିକା ହେନ୍ତାଳ ବଣ ଯୋଗୁ ବାତ୍ୟାର ପ୍ରକୋପ କିଛି ମାତ୍ରାରେ କମିପାରେ ।
Powered by Froala Editor