ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ପରାମର୍ଶ

ଭୁବନେଶ୍ୱର:ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପୂରା ଦମ୍ରେ ପ୍ରସ୍ତୁତ ଚଳାଇଛନ୍ତି। ତୃଣମୂଳ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକଙ୍କୁ ବୁଧବାର ରାତି ସୁଦ୍ଧା ସ୍ଥାନାନ୍ତର କରାଯିବ। ଏନେଇ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲାଗଡ଼ିକରେ ୨୫୦ ରିଲିଫ୍ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ରିଲିଫ୍ କେନ୍ଦ୍ରରେ ମହିଳା ପୋଲିସ ମୁତୟନ ରହିବେ। ଗର୍ଭବତୀ, ଶିଶୁ ଓ ବୟସ୍କଙ୍କୁ ଆଗୁଆ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଛି। ଅନୁଗୋଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମ, ମୟୂରଭଞ୍ଜ ଆଦି ୧୪ଟି ଜିଲାକୁ ସତର୍କ କରାଯିବା ସହ ବାତ୍ୟା ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନ୍ଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ସସ୍ଥା ମୁତୟନ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।
ସମ୍ବେଦନଶୀଳ ଜିଲାଗୁଡ଼ିକରେ ୫୧ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।୧୭୮ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ ହୋଇଥିବା ବେଳେ ୪୦ଟି ଅଗ୍ନିଶମ ସେବା ଟିମ୍ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ହୋଇଛନ୍ତି। ୨୦ଟି ଏନ୍ଡିଆରଏଫ ଟିମ୍ ମୁତୟନ କରାଯାଇଛି। ଆଶ୍ରୟସ୍ଥଳୀଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ, ଆଲୋକ, ପରିମଳ ଓ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ବାତ୍ୟା ପରେ ରାସ୍ତା ଓ ଯାତାୟାତ ବ୍ୟବସ୍ଥାକୁ ସଫା କରିବା ପାଇଁ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଆବଶ୍ୟକ ଆଗୁଆ ବ୍ୟବସ୍ଥା କରାଯାଇଛି।
Powered by Froala Editor