ତାଣ୍ଡବ ରଚାଇବ ବାତ୍ୟା "ଦାନା', ବୁଡ଼ି ଶୋଇବ ଫସଲ
ଭୁବନେଶ୍ବର : ମଝି ରାତିରେ ଶୋଇଥିବେ ଲୋକେ । ଠିକ୍ ସେତିକି ବେଳକୁ ମାଡ଼ ହେବ । ୧୦୦ରୁ ୧୨୦ କିଲୋମିଟର ବେଗରେ ପିଟିବ ପବନ । ତା ସାଙ୍ଗକୁ ମୁଷଳ ଧାରା ବର୍ଷା । କଚା ଘର ଉଡ଼ିଯିବ, ମଡ଼ମାଡ଼ ଭାଙ୍ଗିବଉପୁଡ଼ିବ ଗଛ, ମୋଡ଼ିମାଡ଼ି ହୋଇଯିବ ବିଜୁଳି ଖୁଣ୍ଟ ଆଉ ତାର । ବୁଡ଼ିବ, ଶୋଇବ ଫସଲ । ଗୁରୁବାର ରାତିରେ ଏମିତି ତାଣ୍ଡବ ରଚାଇବ ବାତ୍ୟା "ଦାନା' । ଭୀଷଣ ରୂପରେ ବାତ୍ୟା ଭିତରକନିକା ଦେଇ ପଶିବ ସ୍ଥଳଭାଗରେ ୨୪ ତାରିଖ ରାତି ସାଢ଼େ ୧୧ରୁ ସକାଳ ଭିତରେ । ପରେ ବାସୁଦେବପୁର- ସୋର ଦେଇ କୁଲଡିହା ଅଭୟାରଣ୍ୟ ଭିତରେ ପଶିବ । ପାଣିପାଗ ବିଭାଗ ଏଭଳି ଭୟାନକ ପୂର୍ବାନୁମାନ ଦେଇଛି । ପବନ ଅପେକ୍ଷା ବର୍ଷାର ପ୍ରକୋପ ବୋହି ଆଣିବ ବ୍ୟାପକ କ୍ଷୟକ୍ଷତି ୧୧ ଜିଲ୍ଲାରେ । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ବାତ୍ୟା ରୂପ ନେବ ।
୨୪ ତାରିଖ ଦିନ ସାଢ଼େ ୧୧ଟାରେ ଭୀଷଣ ବାତ୍ୟା(ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ ‘ଦାନା’ । ଅର୍ଥାତ ବାତ୍ୟାର କେନ୍ଦ୍ରୀୟ ବଳୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିବ । ପବନ ଧକ୍କା ୧୨୦ କିମି ଯାଏ ଛୁଇଁପାରେ । ଆଇଏମ୍ଡି ବାତ୍ୟା ଗତିପଥ କହୁଛି, ୨୪ ତାରିଖ ରାତି ସାଢ଼େ ୧୧ଟାରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପରେ (୨୦.୫ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୭.୧ ଡିଗ୍ରୀ ପୂର୍ବ ଦ୍ରାଘିମା) ପହଞ୍ଚିବ । ରାତି ପ୍ରାୟ ୧୨ଟା ବେଳକୁ ଭିତରକନିକା ଜାତୀୟ ଉଦ୍ୟାନରେ ମାଡ଼ ହେବ । ବାତ୍ୟାର କେନ୍ଦ୍ରୀୟ ବଳୟର ପ୍ରଭାବ ପ୍ରାୟ ୩୦ କିଲୋମିଟର ଯାଏ ରହିବ । କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାରେ ଅନେକ ଅଞ୍ଚଳରେ ଏହାର ପ୍ରକୋପ (୧୨୦ କିମି ଯାଏ ପବନ) ରହିବା ଆଶଙ୍କା ରହିଛି ।
୨୫ ତାରିଖ ଦିନ ସାଢ଼େ ୧୧ଟା ବେଳକୁ ଏହା ଦୁର୍ବଳ ହୋଇ ବାଲେଶ୍ୱର ଜିଲ୍ଲାର କୁଲଡିହା ଅଭୟାରଣ୍ୟକୁ ଆଗେଇବ । ସମ୍ଭବତଃ ଧାମରା ଦେଇ ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବ । ସେତେବେଳକୁ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପରେ ଥିବ । କିନ୍ତୁ ସ୍ଥଳଭାଗ ଛୁଇଁବା ପରେ ତ୍ୱରିତ ଗତିରେ ଦୁର୍ବଳ ହୋଇ ଦୁଇ ତିନି ଘଣ୍ଟା ଭିତରେ ଅବପାତକୁ ଖସି ଆସିବ । ବାତ୍ୟାର ଗତିପଥର ବଦଳିବା ସମ୍ଭାବନାକୁ ବି ଏଡ଼ାଇ ହେବ ନାହିଁ ବୋଲି ସେ କହିଛନ୍ତି । ହେଲେ ଉପକୂଳ ଓ ଉତ୍ତର ଓଡ଼ିଶାର ଅନେକ ଜିଲ୍ଲାରେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କେତେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ଆଶଙ୍କା ରହିଛି ।
Powered by Froala Editor