ତଣ୍ଟିକାଟି ଯୁବକକୁ ହତ୍ୟା, ସ୍ତ୍ରୀ କହିଲେ ବିଦ୍ୟୁତ୍ ଆଘାତ

ସୋମବାର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଛୋଟାଗୁଡ଼ା ୟୁଭି-୫୧ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗାଁର ଆଶୁତୋଷ ମହନ୍ତଙ୍କ ପୁଅ ସୁବଳ ମହନ୍ତ(୩୦)ଙ୍କ ତଣ୍ଟି କାଟି ହତ୍ୟା କରାଯାଇଛି । ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି ।
ଅନ୍ୟପକ୍ଷରେ ସୁବଳଙ୍କ ସ୍ତ୍ରୀ ଚଞ୍ଚଳା ମହନ୍ତଙ୍କ ବୟାନ ସମସ୍ତଙ୍କୁ ଚକିତ କରିଛି । ତଣ୍ଟି କଟାଯାଇ ରକ୍ତସ୍ରାବ ହେଉଥିବା ବେଳେ ସୁବଳ ବିଦ୍ୟୁତ୍ ଆଘାତ ପାଇଥିବା କହିଛନ୍ତି ଚଞ୍ଚଳା । ଘଟଣାର ଦୁଇଟି ପାଶ୍ୱର୍କୁ ନେଇ ଯାଞ୍ଚ କରୁଛି ପୁଲିସ ।
ସୋମବାର ରାତିରେ ସୁବଳଙ୍କ ବଡ଼ବାପା ପୁଅ ବିବେକାନନ୍ଦ ଓ ପିଉସୀ ପୁଅଭାଇ ଗିରିଧାରୀ ଗୋଲଦାର ଦୁହେଁ ଦଶହରା ଅବସରରେ ଗାଁରେ ଚାଲିଥିବା ଯାତ୍ରା ଦେଖିବାକୁ ଯାଇଥିଲେ । ରାତି ପ୍ରାୟ ସାଢେ ୨ଟା ବେଳେ ସୁବଳଙ୍କ ସାନଭାଇ ରଞ୍ଜନ ହଠାତ୍ ସେମାନଙ୍କୁ ଫୋନ୍ କରିଥିଲେ । ସୁବଳ ଗୁରୁତର ଥିବା ଜଣାଇଥିଲେ । ବିବେକାନନ୍ଦ ଓ ଗିରିଧାରୀ ସୁବଳଙ୍କ ଘରେ ପହଞ୍ଚିଥିଲେ । ସୁବଳଙ୍କ ତଣ୍ଟି କଣା ହୋଇ ରକ୍ତ ବାହାରୁଥିବା ଦେଖି ଆମ୍ବୁଲାନ୍ସରେ ତାଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଡାକ୍ତର ସୁବଳଙ୍କୁ ମୃତ ଘୋଷଣା କରିଥିଲେ ।
ତାଙ୍କୁ କେହି ମାରି ଦେଇଥିବା ସନ୍ଦେହ କରି ବିବେକାନନ୍ଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସୁବଳଙ୍କ ପତ୍ନୀଙ୍କ ବୟାନ ଭିନ୍ନ ମୋଡ ଦେଉଛି । ବିଶେଷକରି ଗଣମାଧ୍ୟମ ଆଗରେ ସୁବଳଙ୍କ ସ୍ତ୍ରୀ ଚଞ୍ଚଳାଙ୍କ ବୟାନ ଅଧିକ ସନ୍ଦେହ ଘେରରେ ରହିଛି ।
Powered by Froala Editor