ଇଭି ପ୍ରକଳ୍ପରୁ ଓହରିବନି ଜେଏସଡବ୍ଲ୍ୟୁ, ପ୍ରକଳ୍ପରେ ବିନିଯୋଗ କରିବ ୪୦ ହଜାର କୋଟି
ଓଡ଼ିଶାରେ ପ୍ରସ୍ତାବିତ ୪୦ ହଜାର କୋଟି ଟଙ୍କାର ବିଦ୍ୟୁତଚାଳିତ ଯାନ(ଇଭି) ନିର୍ମାଣ ପ୍ରକଳ୍ପ ଓ ବ୍ୟାଟେରିଂ ମାନ୍ୟୁଫାକଚରିଂ ପ୍ରକଳ୍ପରୁ ଓହରିବ ନାହିଁ ଜେଏସଡବ୍ଲ୍ୟୁ । ଏ ନେଇ ଜେଏସଡବ୍ଲ୍ୟୁ କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଓଡ଼ିଶାରେ ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ମହାରାଷ୍ଟ୍ରକୁ ଚାଲିଯିବା ନେଇ ହୋଇଥିବା ଚର୍ଚ୍ଚାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି।
ସେପଟେ ଜେଏସଡବ୍ଲ୍ୟୁର ଇଭି ପ୍ରକଳ୍ପ ମହାରାଷ୍ଟ୍ରକୁ ସ୍ଥାନାନ୍ତରକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ପରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମଧ୍ୟ ମିଡିଆ ଆଗରେ ମୁହଁ ଖୋଲିଛନ୍ତି । ଜେଏସଡବ୍ଲ୍ୟୁ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଉଛି ଓ ସେମାନେ ପ୍ରକଳ୍ପ ସ୍ଥାନାନ୍ତର ଚୂଡ଼ାନ୍ତ କରିନାହାନ୍ତି କିମ୍ବା ଆମକୁ କୌଣସି ସୂଚନା ଦେଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଓଡିଶାରେ ୪୦ ହଜାର କୋଟି ଟଙ୍କାର ଇଭି ପ୍ରକଳ୍ପ ଲାଗି ପୂର୍ବ ସରକାର ସମୟରେ ଗତ ଫେବୃଆରୀରେ ଜେଏସଡବ୍ଲ୍ୟୁ ସହ ଚୁକ୍ତି ହୋଇଥିଲା । କଟକ ନରାଜ଼ ପାଖରେ ୧୧ ଶହ ଏକର ଜାଗାରେ ହେବାକୁ ଥିବା ଏହି ପ୍ରୋଜେକ୍ଟ ପାଇଁ ଚୁକ୍ତି ହୋଇଥିଲା। କମ୍ପାନୀର ଚୁକ୍ତି ଅନୁସାରେ, ଜେଏସଡବ୍ଲ୍ୟୁ କଟକ ନରାଜ ଠାରେ ୨୫ ହଜାର କୋଟି ବିନିମୟରେ ଇଲେକ୍ଟ୍ରିକ ଯାନ ଓ ଏହାର ବ୍ୟାଟେରୀ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା କରିଥିଲା। ସେହିପରି ପାରାଦ୍ୱୀପରେ କମ୍ପାନୀ ୧୫ ହଜାର କୋଟି ଖର୍ଚ୍ଚରେ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ସହ ଇଲେକ୍ଟ୍ରିକ ପାୱାର ଷ୍ଟ୍ରେନ୍ ସମେତ ଅନ୍ୟାନ୍ୟ ଉପକରଣ ତିଆରି କରିବାକୁ ଯୋଜନା କରିଥିଲା। ଜେଏସଡବ୍ଲ୍ୟୁ ମହାରାଷ୍ଟ ଚାଲିଯିବା ନେଇ ଚର୍ଚ୍ଚା ହେବା ପରେ ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି ।
Powered by Froala Editor