ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ, ୩ ଜଣଙ୍କୁ ଗିରଫ କଲା ପୁଲିସ
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗତ ୧୯ ତାରିଖରେ ମହାପଦା ଅଙ୍ଗନବାଡି କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ପିଟିଥିଲେ କେତେକ ମହିଳା ନେତ୍ରୀ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମହିଳା ନେତ୍ରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ ୩ ଜଣ ମହିଳାଙ୍କୁ ଗିରଫ କରାଯାଇଛି।
ସୁଭଦ୍ରା ଯୋଜନାର କାମ କରିବାକୁ ଉର୍ମିଳା ସାମଲଙ୍କୁ ବାରଣ କରାଯାଇଥିଲା। ମାତ୍ର ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଙ୍ଗନୱାଡ଼ି ଦିଦି ଉର୍ମିଳା ସାମଲ ‘ସୁଭଦ୍ରା’ ଯୋଜନା ପାଇଁ ଗାଁରେ ଶୋଭାଯାତ୍ରା କରିଥିଲେ। ସେହି ସମୟରେ ଗାଁର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ମହିଳାମାନେ ଉର୍ମିଳା ସାମଲଙ୍କୁ ବିରୋଧ କରିଥିଲେ। ତା’ପରଠାରୁ ଗାଁର କିଛି ମହିଳାଙ୍କ ସହିତ ଅଙ୍ଗନୱାଡ଼ି ଦିଦିଙ୍କର ତିକ୍ତତା ଲାଗି ରହିଥିଲା। ତେବେ ୧୯ ତାରିଖରେ ଅଙ୍ଗନୱାଡ଼ି ଦିଦି କେନ୍ଦ୍ରରେ ନିଜର କାମ କରୁଥିଲେ। ସେହି ସମୟରେ ଗାଁର କିଛି ମହିଳା ଅଙ୍ଗନୱାଡ଼ି କେନ୍ଦ୍ରରେ ପଶି ଉର୍ମିଳାଙ୍କ ସହିତ ଯୁକ୍ତିତର୍କ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏକ ଗଛରେ ବାନ୍ଧି ଦେଇ ନିସ୍ତୁକ ମାଡ଼ ମାରିଥିଲେ। ସଂପୃକ୍ତ କର୍ମୀ ଜଣକ ଏବେ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
Powered by Froala Editor