ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ, ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ
ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ତଥା ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ରାଜ ନିବାସ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନା ଆତିଶୀଙ୍କୁ ଶପଥ ଗ୍ରହଣ କରାଇଥିଲେ।
ସୂଚନାଯୋଗ୍ୟ, ଅରବିନ୍ଦ କେଜରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆତିଶୀଙ୍କ ନାମରେ ମୁଖ୍ୟମନ୍ତ୍ରୀ ହେବାର ମୋହର ବାଜିଥିଲା। ଆମ ଆଦମୀ ପାର୍ଟି ନେତା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ତାଙ୍କ ସହ ଏଏପି ବିଧାୟକ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୌଲାଶ ଗେହଲୋଟ, ଇମ୍ରାନ ହୁସେନ ଏବଂ ମୁକେଶ ଅହଲୱାଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।
ସୁଲତାନପୁର ମଜରା ବିଧାୟକ ମୁକେଶ ଅହଲୱାଟ ପ୍ରଥମ ଥର ପାଇଁ ଦିଲ୍ଲୀ ସରକାରରେ ମନ୍ତ୍ରୀ ହୋଇଛନ୍ତି। ଯେଉଁଠାରେ ଗୋପାଳ ରାୟ, ସୌରଭ ଭରଦ୍ୱାଜ, କୌଲାଶ ଗେହଲୋଟ, ଇମ୍ରାନ ହୁସେନ ମଧ୍ୟ ଅରବିନ୍ଦ କେଜରିୱାଲ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ।
ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ଗିରଫ ହୋଇଥିଲେ କେଜ୍ରିୱାଲ। ସେ ୬ ମାସ ଜେଲରେ ରହିବା ପରେ ସେପ୍ଟେମ୍ବର ୧୪ରେ ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଏହା ପରଦିନ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ।
Powered by Froala Editor