ବେକାବୁ ସ୍କ୍ରବ୍ ଟାଇଫସ୍, ପଶ୍ଚିମଓଡ଼ିଶାରେ ଅଧିକ ସଂକ୍ରମିତ
ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି ଜିଲ୍ଲା ଭଳି ୬ଟି ଜିଲ୍ଲାରେ ବେକାବୁ ହେଲାଣି ସ୍କ୍ରବ୍୍ ଟାଇଫସ୍ । ଏହି ଜିଲ୍ଲାମାନଙ୍କରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଅଗଷ୍ଟରେ ଅଧିକ ନମୁନା ପରୀକ୍ଷା ହୋଇଥିବା ବେଳେ ଅଧିକ ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍ ତାଲିକାରେ ଥିବା ରୋଗୀମାନେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କଳାହାଣ୍ଡି ଆଦି ବିଭିନ୍ନ ଜିଲ୍ଲାର ଅଛନ୍ତି । ଏହି ତଥ୍ୟକୁ ଦେଖିଲେ ରୋଗୀଙ୍କ ସଂଖ୍ୟା ପଶ୍ଚିମ ଓଡ଼ିଶାରେ ବଢ଼ିବାରେ ଲାଗିଛି । କେବଳ ବୁର୍ଲା ଭିମ୍ସାର ଜାନୁଆରୀରୁ ଅଗଷ୍ଟ ମଧ୍ୟରେ ୫୧୧ ରୋଗୀଙ୍କ ରକ୍ତ ନମୁନାରୁ ସ୍କ୍ରବ୍୍ ଟାଇଫସ୍ ପଜିଟିଭ୍ ବାହାରିଛି ।
ତେବେ ପଶ୍ଚିମ ଓଡ଼ିଶାରେ ଏବେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବୁର୍ଲା ଭିମ୍ସାର୍ରେ ଏଲିସା ଟେଷ୍ଟ ଉପଲବ୍ଧ ନ ହେବା ଚିନ୍ତାର ବିଷୟ ହୋଇଛି । ଭିମ୍ସାର୍ ନିର୍ଦ୍ଦେଶକ ପ୍ରଫେସର ଡା. ଭାବଗ୍ରାହୀ ରଥ କହିଛନ୍ତି, ଏଠାରେ ଏଲିସା କିଟ୍ ଉପଲବ୍ଧ ନାହିଁ । କିଟ୍ ଆଣି ଖୁବ୍ଶୀଘ୍ର ଏଲିସା ଟେଷ୍ଟ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଣ୍ଟିଜେନ୍ କିଟ୍ରେ ଅନେକ ସମୟରେ ଭୁଲ ରିପୋର୍ଟ ବାହାରିଥାଏ ବୋଲି ପ୍ରଫେସର ଡା. ରଥ ସ୍ୱୀକାର କରିଛନ୍ତି ।
ସୂଚନା ଅନୁଯାୟୀ, ଜାନୁଆରୀରେ ୨୯୦୪ ରୋଗୀଙ୍କ ପରୀକ୍ଷା ହୋଇଥିଲା । ୪୮ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଫେବ୍ରୁଆରୀରେ ୨୨୮୨ ନମୁନାରୁ ୧୨, ମାର୍ଚ୍ଚରେ ୨୩୧୩ ନମୁନାରୁ ୧୯, ଏପ୍ରିଲ୍ରେ ୨୨୪୩ ନମୁନାରୁ ୧୬, ମେ’ରେ ୨୩୩୭ ନମୁନାରୁ ୧୩, ଜୁନ୍ରେ ୧୯୧୦ ନମୁନାରୁ ୧୦୪ ଏବଂ ଜୁଲାଇରେ ୨୫୨୧ ନମୁନାରୁ ୫୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଗଷ୍ଟରେ ୩୦୮୬ ନମୁନା ପରୀକ୍ଷଣରୁ ୨୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ମେଡିକାଲ ତଥ୍ୟରୁ ଜଣାପଡ଼ିଛି ।
Powered by Froala Editor