ପରୀକ୍ଷା ଦେବାକୁ ଯାଇଥିଲେ, ଚୁଡ଼ି ଓ ପାଉଁଜି ଖୋଲିଲେ ପରୀକ୍ଷାର୍ଥୀ
ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକସନ୍ କମିସନ୍ (ଓ.ଏସ୍.ଏସ୍.ଏସ୍.ସି) ପକ୍ଷରୁ ରାଜସ୍ୱ ନିରୀକ୍ଷକ (ଆର୍ଆଇ), ଏଆର୍ଆଇ, ଆଇସିଡିଏସ୍ ସୁପର୍ଭାଇଜର୍, ଅମିନ, ଷ୍ଟାଟିଷ୍ଟିକାଲ ଫିଲଡ୍ ଅଫିସର ନିଯୁକ୍ତି ପାଇଁ ପରୀକ୍ଷା ଆରମ୍ଭ ହୋଇଛି । କିନ୍ତୁ ପ୍ରାର୍ଥୀମାନଙ୍କ ଲାଗି କମ୍ପ୍ୟୁଟରରେ ଅନ୍ଲାଇନ୍ରେ ହେଉଥିବା ଏହି ପରୀକ୍ଷାରେ ଅଜବ ବ୍ୟବସ୍ଥା ଦେଖିବାକୁ ମିଳୁଛି । ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ମହିଳା ପ୍ରାର୍ଥିନୀଙ୍କ ହାତରୁ ଶଙ୍ଖା, କାଚ, ମୁଦି, ପାଉଁଜି, ଚେନ୍, ମାଳି, କାନ ଫୁଲ ଓ ନାକ ଫୁଲ ଖୋଲିବାକୁ ବାଧ୍ୟ କରାଯାଉଛି ।
ଅନ୍ୟପଟେ କେତେକ ବିବାହିତା ମହିଳା ହାତରୁ ଶଙ୍ଖା ଓ ଚୁଡ଼ି ଖୋଲିବାକୁ ରାଜି ହେଉନଥିବାରୁ ସେମାନଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ ଅନୁମତି ମିଳୁନି । ଯାହାକୁ ନେଇ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସେହିପରି ଅବିବାହିତା ଯୁବତୀମାନଙ୍କୁ କାନ ଫୁଲ୍ ଓ ନାକ ଫୁଲ୍ ଖୋଲିବାକୁ କୁହାଯାଉଛି । ଯେଉଁ ଯୁବତୀ ଓ ମହିଳାମାନଙ୍କ ନାକ ଏବଂ କାନରୁ ଅଳଙ୍କାର ଖୋଲି ହେଉନାହିଁ ଅଳଙ୍କାର ଉପରେ ଜରି ଅଠା ପଟି ତଥା ସେଲୋ ଟେପ୍ ପକାଇବାକୁ କୁହାଯାଉଛି । ଏହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ହାତ ଘଣ୍ଟା, ମୋବାଇଲ୍, ସ୍ମାର୍ଟ ୱାଚ୍, ବ୍ଲୁ ଟୁଥ୍ ଆଦି ପରୀକ୍ଷା କେନ୍ଦ୍ରକୁ ବାରଣ ରହିଥିବା ବେଳେ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକ ଓ କର୍ମଚାରୀମାନେ ମନଇଚ୍ଛା କଟକଣା ଜାରି କରିବା ଯୋଗୁଁ ପରୀକ୍ଷାର୍ଥୀମାନେ ଅସୁବିଧାରେ ସମ୍ମୁଖୀନ ହେଉଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି । ଶଙ୍ଖା, ଚୁଡ଼ି, ଚେନ୍, ବେକ ମାଳି, ପାଉଁଜି ଆଦି ଖୋଲିବା ପାଇଁ ଆଡମିଟ୍ କାର୍ଡରେ କୌଣସି କଟକଣା ଉଲ୍ଲେଖ ନଥିବାବେଳେ ପରୀକ୍ଷାକେନ୍ଦ୍ରରେ ମନମାନି ବଢିଯାଇଛି ବୋଲି ପରୀକ୍ଷାର୍ଥୀ ଅଭିଯୋଗ ଆଣିଛନ୍ତି ।
Powered by Froala Editor