ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ବିଜୟ ପଟ୍ଟନାୟକ
ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ୟାତନା ଦିଆଯିବା ଘଟଣାକୁ କଡା ନିନ୍ଦା କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ। ବିଜୟ ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛନ୍ତି। ଘଟଣାକୁ ନିନ୍ଦା କରିବା ସହ ନିଲମ୍ବନ ନୁହେଁ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପରେ ବି ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ। ନାଇଟ୍ ପାଟ୍ରୋଲିଂ ପାଇଁ କର୍ମଚାରୀ ନଥିଲେ ସରକାର କଣ କରୁଛନ୍ତି ବୋଲି ବିଜୟ ପ୍ରଶ୍ନ କରିଛନ୍ତି।
ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ସେ କହିଛନ୍ତି, ଭରତପୁର ଥାନାରେ ଯେଉଁ ଜଘନ୍ୟ କାଣ୍ଡ ଘଟିଲା ସେଥିରେ ପୁଲିସ୍ ଅଫିସର ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା କଥା ଅଭିଯୋଗ ହେଉଛି। ଏନେଇ ଏକ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏ କାହିଁକି ସମ୍ପୃକ୍ତ ପୁଲିସ୍ ଅଧିକାରୀଙ୍କୁ ଗିରଫ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି।
ଯଦି ରାତି ଅଧରେ ଅଭିଯୋଗ କରିବାକୁ ଆସିଥିବା ଦୁଇ ଜଣଙ୍କୁ ଗିରଫ କରାଗଲା, ତେବେ ଏପରି କାଣ୍ଡ ଘଟାଇଥିବା ପୁଲିସ୍ ଅଧିକାରୀଙ୍କୁ କାହିଁକି ଗିରଫ କରାଯାଉନି? ସେମାନଙ୍କୁ ଗିରଫ କରିବାକୁ ଆଉ କ’ଣ ତଥ୍ୟ ଦରକାର ବୋଲି ପ୍ରଶ୍ନ କରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ।
Powered by Froala Editor