କେନାଲରେ ବୁଡି ଦୁଇ ଶିଶୁ ମୃତ
ରାଉରକେଲା: ଖେଳୁଥିବାବେଳେ କେନାଲରେ ବୁଡି ଦୁଇ ଶିଶୁଙ୍କ ମୃତୁ୍ୟ ହୋଇଛି । ମୃତ ଶିଶୁ ଦୁହେଁ ହେଲେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଲୁଙ୍ଗେଇବସ୍ତି କେନାଲପଡାର ଅନିସ ଟପ୍ପୋ (୪) ଓ ତ୍ରିଦେବ ମହାନନ୍ଦିଆ (୨) । ବ୍ରାହ୍ମଣୀ ତରଙ୍ଗ ପୁଲିସ ଦୁଇ ଶିଶୁଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆରଜିଏଚ)କୁ ପଠାଇଛି । ଶିଶୁ ଦୁଇଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମିଳିଥିବା ସୂଚନାରୁ ଜଣାପଡ଼ିଛି, ବେଦବ୍ୟାସ ଲୁଙ୍ଗେଇବସି କେନାଲପଡ଼ାରେ ପ୍ରଦୀପ ମହାନନ୍ଦିଆ ଓ ବିକ୍ରମ ଟପ୍ପୋ ପରିବାର ସହ ରହନ୍ତି । ସଂଧ୍ୟା ପ୍ରାୟ ୫ଟାରେ ପ୍ରଦୀପଙ୍କ ପୁଅ ତ୍ରିଦେବ, ବିକ୍ରମଙ୍କ ପୁଅ ଅନିସ ଦୁହେଁ କେନାଲ ପାର୍ଶ୍ୱରେ ଖେଳୁଥିଲେ । ଗୋଡ ଖସିଯିବାରୁ ଦୁହେଁ କେନାଲରେ ବୁଡି ଯାଇଥିଲେ । ସଂଧ୍ୟାରେ ଦୁହେଁ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ଶୌଚ କରିବାକୁ ଯାଇଥିବା କିଛି ଲୋକ ଦୁଇ ଶିଶୁଙ୍କ ଶବ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଲୋକଙ୍କୁ ସୂଚନା ଦେଇଥିଲେ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆରଜିଏଚରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ବ୍ରାହ୍ମଣୀତରଙ୍ଗ ପୁଲିସ ପହଞ୍ଚି ଦୁଇ ଶିଶୁଙ୍କ ଶବ ଜବତ କରିଥିଲା । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
Powered by Froala Editor