ମନରେଗା କାମ ଦେଖିବାକୁ ଯାଇ ମାଟି ଖୋଳିଲେ ଜିଲ୍ଲାପାଳ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସିଲଭା ପଞ୍ଚାୟତର ଚଞ୍ଚରାଝରଣ ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ କାର୍ଯ୍ୟ ସତରେ ପ୍ରଶଂସାଯୋଗ୍ୟ । ମନରେଗା ଓ ସୁଭଦ୍ରା ଯୋଜନା କଥା ବୁଝିବାକୁ ଯାଇ ଲୋକଙ୍କ ନିକଟତର ହୋଇପାରିଛନ୍ତି । ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ ନିଜେ ଫାଉଡ଼ା ଧରି ମାଟି ଖୋଳିଥିଲେ । ଏପରିକି ଝୁଡିରେ ଶ୍ରମିକଙ୍କୁ ମାଟି ବୁହାଇ ଦେଇଥିଲେ । ଏମିତି ନଜାରା ଦେଖି ସେଠାକାର ଲୋକ ବି ସ୍ତବ୍ଧ । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ ।
ଶନିବାର ଦିନ ପ୍ରଥମେ ଜିଲ୍ଲାପାଳ କୋମନା ବ୍ଲକ ଗସ୍ତକରି ସମରସିଂ ପଞ୍ଚାୟତ ଖଜୁରବାହାର ଷ୍ଟ୍ରାଗାଡ ଟ୍ରେଞ୍ଚ୍କାମ ପରିଦର୍ଶନ କରିଥିଲେ । ସେଠାରେ ଶହ ଶହ ଶ୍ରମିକ କାମ କରୁଥିବା ଦେଖିଥିଲେ । ମଧ୍ୟାହ୍ନ ଭୋଜନ ଖାଇବା ପାଇଁ କେତେଜଣ ଶ୍ରମିକ ଯାଇଥିବାବେଳେ ୭୫ରୁ ଊର୍ଦ୍ଧ୍ୱ ମାଟି ଖୋଳିବା କାମ କରୁଥିଲେ । ଜିଲ୍ଲାପାଳ ଶ୍ରମିକଙ୍କ ସହ ଆଲୋଚନା କରି ଠିକ୍ ସମୟରେ ପାରିଶ୍ରମିକ ମିଳୁଛି କି ନାହିଁ ପଚାରି ବୁଝିଥିଲେ ।
ସେଠାରୁ ସିଲଭା ପଞ୍ଚାୟତ ଚଞ୍ଚରାଝରଣ ଗାଁରେ ପହଞ୍ଚିଥିଲେ । ସେଠାରେ କେଟେଲ ପ୍ରୁଫ୍ ଟ୍ରେଞ୍ଚ ଖୋଳା କାର୍ଯ୍ୟ ତଦାରଖ କରିବା ସହ ଟ୍ରେଞ୍ଚ ତଳକୁ ଓହ୍ଲାଇ ପଡ଼ିଥିଲେ । ଜଣେ ଶ୍ରମିକଙ୍କୁ ଫାଉଡ଼ା ମାଗି ମାଟି ଖୋଳିବା ଆରମ୍ଭ କରିଥିଲେ । ପରେ ଶ୍ରମିକଙ୍କ ମୁଣ୍ଡରେ ମାଟି ବୁହାଇ ଦେଇଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ କୋମନା ବିଡିଓ ହିତାଂଶୁ ଶେଖର ସାମଲ ମଧ୍ୟ ଜିଲ୍ଲାପାଳ ସହ ଶ୍ରମିକଙ୍କୁ ମାଟି ବୁହାଇବାରେ ସାହାଯ୍ୟ କରିଥିଷଲ ।
ସେହିପରି ଜିଲ୍ଲାପାଳ ଶ୍ରମିକଙ୍କୁ ସୁଭଦ୍ରା ଯୋଜନା ବିଷୟରେ ପଚାରି ବୁଝିଥିଲେ । ତେବେ ଶ୍ରମିକଙ୍କ ଭିତରେ ଉତ୍ସାହ ଓ ସାହାସ ଭରିବାକୁ ଜିଲ୍ଲାପାଳଙ୍କ ପ୍ରୟାସ ପ୍ରଶଂସାଯୋଗ୍ୟ । ଶ୍ରମିକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିବାବେଳେ ଓଡ଼ିଶାରେ ମନରେଗା ଦ୍ୱାରା କାମ କରି ଉଚିତ୍ ପ୍ରାପ୍ୟ ପାଇବାକୁ ପ୍ରବର୍ତ୍ତାଇଥିଲେ ।
Powered by Froala Editor