ଅଢ଼େଇ ବର୍ଷ ପରେ ଧରାପଡ଼ିଲେ ୪ ମହାବଳ ଶିକାରୀ
ଅଢ଼େଇ ବର୍ଷ ପରେ ଧରାପଡିଛନ୍ତି ୪ ମହାବଳ ଶିକାରୀ । ଗିରଫ ଶିକାରୀଙ୍କ ଭିତରେ ରହିଛି କୁଖ୍ୟାତ ଶିକାରୀ ମହାତୋ କିସ୍କୁ । ସେମାନଙ୍କ ନିକଟରୁ ୪ ମହାବଳ ବାଘ(ରୟାଲ ବେଙ୍ଗଲ ଟାଇଗର)ର ଦାନ୍ତ, ନିଶ ଦେଶୀ ବନ୍ଧୁକ ସହିତ ବାରୁଦ, ଅଶୀରୁ ଅଧିକ ଧନୁତୀରକୁ ମଧ୍ୟ ଜବତ କରାଯାଇଛି ।
ଏହି ଶିକାରୀମାନଙ୍କ ସମ୍ପର୍କରେ ଖବର ପାଇବା ପରେ ଶିମିଳିପାଳ ଦକ୍ଷିଣ ଡିଭିଜନ ଓ ବାରିପଦା ବନଖଣ୍ଡ ଦ୍ୱାରା ଉଦଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢଉ କରାଯାଇଥିଲା । ଚଢଉ ସମୟରେ ଶିକାରୀ ମହାତୋ କିସ୍କୁ ଓରଫ ହାପ୍ନାକୁ ଉଦଳା ଥାନା ଅନ୍ତର୍ଗତ ଖଣ୍ଡାଚିରା, ମାଣିକପୁର ଗ୍ରାମରୁ ଗିରଫ କରାଯାଇଥିଲା । ସେହି ଗ୍ରାମର ଅନ୍ୟ ଦୁଇ ପେଶାଦାର ଶିକାରୀ ସାଉରୁ ମୁର୍ମୁ ଏବଂ ତା ପୁଅ ନିତାଇ ମୁର୍ମୁକୁ ଧରିଗଥିଲା ବନବିଭାଗ । ଏହି ଶିକାରୀମାନଙ୍କୁ ପଚରାଉଚୁରା ପରେ ସେହି ଗ୍ରାମର ଲକ୍ଷ୍ମଣ ହେମ୍ବ୍ରମଙ୍କ ଘରେ ଚଢଉ କରାଯାଇ ତାଙ୍କ ପୁତ୍ର ଥପୁଲ ହେମ୍ବ୍ରମକୁ ମଧ୍ୟ ଗିରଫ କରାଯାଇଛି ।
ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଗୁଳିଭର୍ତ୍ତି ବନ୍ଧୁକ, ଦୁଇଟି ଗୁଳି ନଥିବା ବନ୍ଧୁକ, ଗୋଟିଏ ବନ୍ଧୁକ ବ୍ୟାରେଲ, ବିସ୍ଫୋରକ, ଧନୁତୀର ଓ ଫାଶ ଜବତ କରାଯାଇଛି । ଥୁପୁଲ ନିକଟରୁ ୪ ମହାବଳ ବାଘର ଦାନ୍ତ, ନିଶ ଦେଶୀ ବନ୍ଧୁକ ସହିତ ବାରୁଦ, ଅଶୀରୁ ଅଧିକ ଧନୁତୀରକୁ ଜବତ କରାଯାଇଛି । ଥୁପୁଲକୁ ପଚରା ଉଚରା ବେଳେ ସେ ବାଘ ଶିକାର କରିଥିବା ମାନିଛି ।
Powered by Froala Editor