ବରଗଡ଼ ଷ୍ଟେସନରେ ଲକ୍ ହୋଇଗଲା ଲିଫ୍ଟ, ଫସିଗଲେ ଯାତ୍ରୀ
ରବିବାର ନୂଆଁଖାଇ ପାଇଁ ବରଗଡ ସହର ଚଳଚଞ୍ଚଳ ଥିଲା । ରବିବାର ରାତିରେ ଯାତ୍ରୀଙ୍କ ପାଇଁ ବରଗଡ଼ ରୋଡ୍ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଭିଡ଼କୁ ଦୃଷ୍ଟିରେ ରଖି ଦୁଇ ସପ୍ତାହ ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ଲିଫ୍ଟକୁ ଉଦ୍ଘାଟନ ପୂର୍ବରୁ ଟେଷ୍ଟ୍ରନ୍ ପାଇଁ ଚାଲୁ କରାଯାଇଥିଲା । ଯାତ୍ରୀମାନେ ମଧ୍ୟ ଲିଫ୍ଟ ବ୍ୟବହାର କରି ଫ୍ଲାଏଓଭରକୁ ଯିବା ଆସିବା କରିଥିଲେ । ହେଲେ ଭୋର୍ ୩ଟା ୪୫ରେ ଲିଫ୍ଟ ଗଳି ପଡ଼ି ଲକ୍ ହୋଇଯାଇଥିଲା । ଲୋକମାନେ ଭୟଭୀତ ହୋଇପଡିଥିବାବେଳେ ପ୍ରାୟ ଘଣ୍ଟାଏ ପରେ ଉଦ୍ଧାର ହୋଇଛନ୍ତି ।
ଏହାକୁ ନେଇ ଚାପା ଉତ୍ତେଜନା ଦେଖାଦେଇଛି । କାରଣ ଲିଫ୍ଟ ଅଦ୍ୟାବଧି ରେଳ ବିଭାଗକୁ ହସ୍ତାନ୍ତର ହୋଇ ନ ଥିବାରୁ ଏହାର ବ୍ୟବହାର ବିଷୟରେ କେହି ଜାଣି ନଥିଲେ । ଦୀର୍ଘ ସମୟର ଚେଷ୍ଟା ପରେ ସ୍ୱୟଂଚାଳିତ ଭାବେ ବନ୍ଦ ହୋଇଯାଇଥିବା ଲିଫ୍ଟ ଫାଟକ ଖୋଲିଥିଲା । ଫସିଯିବା ଯାତ୍ରୀମାନେ ସୁରକ୍ଷିତ ଭାବେ ବାହାରକୁ ବାହାରିଥିଲେ ।
ସୂଚନାଯୋଗ୍ୟ, ବରଗଡ଼ ରୋଡ୍ ଷ୍ଟେସନରେ ନିର୍ମାଣ କରାଯାଇଥିବା ଫ୍ଲାଏଓଭର ପାହାଚଗୁଡ଼ିକ ବହୁତ ବଡ଼ । ତେଣୁ ସମସ୍ୟା ସମାଧାନ ପାଇଁ ବରଗଡ଼ବାସୀ ଲିଫ୍ଟ ଦାବି କରିଥିଲେ । ରେଳ ମନ୍ତ୍ରଣାଳୟର ମଞ୍ଜୁରୀ ପରେ ଦୁଇ ସପ୍ତାହ ପୂର୍ବରୁ ଲିଫ୍ଟ ନିର୍ମାଣ ଶେଷ ହୋଇଛି । ଠିକା କମ୍ପାନି ତରଫରୁ ଦୁଇଦିନ ତଳୁ ଏହାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ କରାଯାଇଥିଲା । ମାତ୍ର ୪୮ ଘଣ୍ଟା ଭିତରେ ଏଭଳି ଦୁର୍ଘଟଣା ନେଇ ଅନେକ ପ୍ରଶ୍ନ ଉଠିଛି ।
ନିମ୍ନମାନର କାର୍ଯ୍ୟ ପାଇଁ ଏଭଳି ଅଘଟଣ ଘଟିଲା ବୋଲି ଯାତ୍ରୀ କହୁଛନ୍ତି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।
Powered by Froala Editor