ଅଗଷ୍ଟରେ ସିବିଏସ୍ଇ ଦଶମ, ଦ୍ୱାଦଶ ଅଫଲାଇନ୍ ପରୀକ୍ଷା !
ଭୁବନେଶ୍ୱର: ଅଗଷ୍ଟରେ ହୋଇପାରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ର ଅଫ୍ଲାଇନ୍ ମୋଡରେ ଦଶମ ଓ ଦ୍ୱାଦଶ ପରୀକ୍ଷା । ଯଦି କରୋନା ପରିସ୍ଥିତି ଅନୁକୂଳ ହୁଏ ଫିଜିକାଲ୍ ମୋଡରେ ପରୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ କହିଛନ୍ତି । ଗତକାଲି ଅନଲାଇନ୍ କାର୍ୟ୍ୟକ୍ରମ ଲାଇଭ୍ ଯିବାବେଳେ ଶିକ୍ଷା ମନ୍ତ୍ରୀ ଡ. ନିଶଙ୍କ ସିବିଏସ୍ଇ ଛାତ୍ରଙ୍କୁ ସ୍ୱତନ୍ତ୍ର ବାର୍ତ୍ତା ବାଣ୍ଟିଥିଲେ । ଶିକ୍ଷା ମନ୍ତ୍ରୀ କହିଛନ୍ତି, ଯେଉଁ ଛାତ୍ରମାନେ ସେମାନଙ୍କ ଦଶମ ଓ ଦ୍ୱାଦଶ ଫଳକୁ ନେଇ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍ ପରୀକ୍ଷା ପାଇଁ ହାଜର ହୋଇପାରିବେ ଯାହା ପରିସ୍ଥିତି ଅନୁକୂଳ ହେଲେ ଅଗଷ୍ଟରେ ହୋଇପାରେ ବୋଲି କହିଛନ୍ତି । ସେ କହିଛନ୍ତି, ସିବିଏସ୍ଇ ଦ୍ୱାରା ସ୍ଥିର କରାଯାଇଥିବା ମୂଲ୍ୟାୟନ ମାନଦଣ୍ଡ ସମ୍ପର୍କରେ ସେ କ୍ରମାଗତ ଛାତ୍ର ଏବଂ ଅନ୍ୟ ହିତାଧିକାରୀଙ୍କଠାରୁ ଅନେକ ବାର୍ତ୍ତା ଗ୍ରହଣ କରୁଛନ୍ତି । ସମସ୍ତ ପ୍ରଶ୍ନର ଅନ୍ତ ଘଟାଇବାକୁ ଶିକ୍ଷା ମନ୍ତ୍ରୀ ବାର୍ତ୍ତା ବାଣ୍ଟିଥିଲେ । ସିବିଏସଇ ଯଦି ଅଫଲାଇନ୍ ପରୀକ୍ଷା କରିବ ତା’ର ବିସ୍ତୃତ ବିବରଣୀ ବୋର୍ଡ ଦ୍ୱାରା ଠିକ୍ ସମୟରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।
Powered by Froala Editor