ଗଣେଶ ବିସର୍ଜନ ବେଳେ ବୁଡ଼ିଗଲା ବଡ଼ଭାଇ
ଗଣେଶପୂଜା ପାଇଁ ସବୁଠି ଉତ୍ସବର ମାହୋଲ । କିନ୍ତୁ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା କୁଳିଗାଁରେ ଦୁଃଖର କଳାବାଦଲ ଘୋଟିଆସିଛି । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡ଼ି ବଡଭାଇର ମୃତ୍ୟୁ ଘଟିଥିବା ବେଳେ ସାନଭାଇ ଗୁରୁତର ହୋଇ ମେଡିକାଲରେ ଜୀବନ ମରଣ ସହ ଲଢୁଛି । ମୃତକ ହେଲେ ଗ୍ରାମର ଅରୁଣ କୁମାର ରାଉତଙ୍କ ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ରାଉତ । ପ୍ରତ୍ୟୁଷଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ପ୍ରତ୍ୟୁଷଙ୍କ ସହ ଦାଦା ଗଜେନ୍ଦ୍ର ରାଉତଙ୍କ ପୁଅ ସତ୍ୟଜିତ୍ ରାଉତ(୧୦) ମଧ୍ୟ ବିସର୍ଜନ ପାଇଁ ଯାଇଥିଲା ବେଳେ ତାର ଅବସ୍ଥା ସଙ୍କଟାପନ୍ନ ରହିଛି ।
ଶନିବାର ଗାଁରେ ଗଣେଶଙ୍କ ପୂଜା କରାଯାଇଥିଲା । ରବିବାର ସକାଳୁ ପ୍ରତ୍ୟୁଷ ଓ ସତ୍ୟଜିତ୍ ସାଙ୍ଗମାନଙ୍କ ସହ ପୋଖରୀକୁ ଗଣେଶଙ୍କ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିଲେ । ବିସର୍ଜନ ସମୟରେ ପ୍ରତ୍ୟୁଷ ଏବଂ ସତ୍ୟଜିତ୍ଙ୍କ ଗୋଡ଼ ଖସିଯାଇଥିଲା । ଉଭୟ ବୁଡିଯାଇଥିଲେ । ସେମାନଙ୍କ ସାଙ୍ଗରେ ଥିବା ପିଲାମାନେ ଗାଁ ଲୋକଙ୍କୁ ଡାକ ପକାଇଥିଲେ ।
ଗାଁର କିଛି ଯୁବକ ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଖନ୍ତାପଡ଼ା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ପ୍ରତ୍ୟୁଷଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସତ୍ୟଜିତଙ୍କ ଅବସ୍ଥା ଗୁରୁତର ଅଛି । ତାକୁ ବାଲେଶ୍ୱର ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ପ୍ରତ୍ୟୁଷ ନିଜ ଗାଁ ସ୍କୁଲ୍ରେ ଷଷ୍ଠ ଶ୍ରେଣୀରେ ପଢୁଥିଲା । ପୁଅକୁ ହରାଇ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ମା’ର ଆଖିରୁ ଲୁହ ଶୁଖୁନି । ଅନ୍ୟପଟେ ଦାଦାପୁଅ ଭାଇ ସତ୍ୟଜିତ ମଧ୍ୟ ମେଡିକାଲରେ ଅଛି । ଦିନକ ପୂର୍ବରୁ ଯେଉଁ ଗାଁରେ ଉତ୍ସବର ମାହୋଲ ଥିଲା ସେଠି ଆଜି ଶୋକର କଳାବାଦଲ ଘେରି ରହିଛି ।
Powered by Froala Editor