ସମ୍ବଲପୁର ଜିଲ୍ଲା ପୁଲିସ୍ କର୍ମଚାରୀଙ୍କ ପାଇଁ ନୂଆଁଖାଇ ଛୁଟି ଘୋଷଣା
ନୂଆଁଖାଇ ପାଇଁ ସମ୍ବଲପୁର ଜିଲ୍ଲାର ସମସ୍ତ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ହୋଇଛି । ନୂଆଁଖାଇରେ ପୁଲିସ ଅଧିକାରୀ ଓ କର୍ମଚାରୀ ପାଇବେ ଛୁଟି । ଏନେଇ ଘୋଷଣା କରିଛନ୍ତି ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୂ ଘୋଷଣା କରିଛନ୍ତି ।
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ସମ୍ବଲପୁର ଉତ୍ସବମୁଖର ହୋଇ ପଡିଛି । ସମସ୍ତେ ଘରମୁହାଁ ହୋଇଛନ୍ତି । ହେଲେ ଚଳିତ ବର୍ଷ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପୁଲିସ୍ ଓ ପ୍ରାଶାସନିକ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । ଯାହାକୁ ନେଇ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେଣୁ ପୁଲିସ୍ ପକ୍ଷରୁ ଜିଲ୍ଲାର ସମସ୍ତ କର୍ମଚାରୀଙ୍କୁ ଛୁଟି ଦେବାକୁ ଏସ୍ପି ଘୋଷଣା କରିଛନ୍ତି । ଏପଟେ ଛୁଟି ବାବଦରେ ଜିଲ୍ଲା ପ୍ରଶାସନର କୌଣସି ନିଷ୍ପତ୍ତି ହୋଇପାରିନାହିଁ ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମନ୍ତ୍ରୀ ସୁରେଶ ପୂଜାରୀ, ରବିନାରାୟଣ ନାଏକ ସମ୍ବଲପୁରର ନୂଆଁଖାଇର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସେଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୨ ପ୍ଲାଟୁନ୍ ଫୋର୍ସ କଟକ ମୁଖ୍ୟାଳୟରୁ ଆସିଛନ୍ତି ବୋଲି ସମ୍ବଲପୁର ଏସ୍ପି ଶ୍ରୀ ଭାମୂ କହିଛନ୍ତି ।
ନୂଆଁଖାଇରେ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଭକ୍ତମାନେ ମାଁଙ୍କ ଦର୍ଶନ ପାଇଁ ଆସୁଥିବାରୁ ମନ୍ଦିରରେ ନାହିଁ ନ ଥିବା ଭିଡ଼ ହୋଇଥାଏ । ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ସାଧାରଣ ଦର୍ଶନ ପାଇଁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି ।
Powered by Froala Editor