ଚିକେନ ନଖାଇବାକୁ ପରାମର୍ଶ ଦେଲା କେନ୍ଦ୍ରୀୟ ଟିମ୍
ପୁରୀ: ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ସ୍ଥିତି ଉଦବେଗଜନକ ରହିଛି। ଏହା ମଧ୍ୟରେ ଗତକାଲି ଜିଲ୍ଲାରେ ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍। ଆଜି ଏହି ଟିମ୍ ମୁଖ୍ୟ ଶାସନ ସଚିବଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବ।
ଗତକାଲି ପୁରୀ ସର୍କିଟ ହାଉସ୍ ଠାରେ ବସିଥିବା ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ପ୍ରାଣୀ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଟିମ୍ ସଦସ୍ୟ। ବୈଠକ ପରେ ଟିମ୍ ସଦସ୍ୟ କହିଛନ୍ତି, ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଟିମ୍ ସଦସ୍ୟ ।ଏନେଇ କେନ୍ଦ୍ରୀୟ ଟିମ୍ ସଦସ୍ୟ ରାମସିସ୍ ହାଜିରା କହିଛନ୍ତି, କୁକୁଡ଼ା ଫାର୍ମମାନଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ବାର୍ଡ ଫ୍ଲୁ ଚିହ୍ନଟ ସ୍ଥାନର ୧୦ କିମି ପରିଧୀ ମଧ୍ୟକୁ ବାହାରୁ କୌଣସି ପକ୍ଷୀଙ୍କ ପ୍ରବେଶକୁ ବାରଣ କରାଯାଇଛି। ଏପରି କରିବା ଦ୍ୱାରା କିଛି ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣକୁ ଚାଲି ଆସିବ ।
ଏନେଇ ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ଟିମ୍ ସଦସ୍ୟ ଅଭିଜିତ ମିତ୍ର କହିଛନ୍ତି, ଭୟଭୀତ ହେବାର କୌଣସି କାରଣ ନାହିଁ। ସତର୍କତା ଅବଲମ୍ବନ କଲେ ଆମେ ଏହି ସମସ୍ୟାକୁ ମୁକୁଳି ପାରିବା।
Powered by Froala Editor