ଜମ୍ମୁ ବିମାନବନ୍ଦରରେ ବିସ୍ଫୋରଣ
ଜମ୍ମୁ: ଜମ୍ମୁସ୍ଥିତ ବିମାନ ବନ୍ଦରର ଟେକନିକାଲ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଛି । ବିଳମ୍ବିତ ରାତି ପ୍ରାୟ ୧ଟା ୪୦ ମିନିଟରେ ଏହି ବିସ୍ଫୋରଣ ଘଟିଛି । ବିମାନବନ୍ଦରର ଟେକ୍ନିକାଲ ଳରିଆରେ ଲଗାତାର ୨ଟି ବିସ୍ଫୋରର ହୋଇଥିବା ସୂଚନା ମିଳିଛି । ତେବେ କିଭଳି ଓ କେଉଁ ପରିସ୍ଥିିତିରେ ବିସ୍ଫୋରଣ ଘଟିଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ ବନ୍ଦର ବର୍ତ୍ତିଯାଇଥିବା କହିଛନ୍ତି ନିରାପତ୍ତା ବାହିନୀ । ବିସ୍ଫୋରଣ ଘଟିବା ପରେ ବୋମା ନିଷ୍କ୍ରୟକାରୀ ଦଳ ସେଠାରେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଜମ୍ମୁ କାଶ୍ମୀରର ନରୱଲ ଅଞ୍ଚଳରୁ ଜଣେ ଆତଙ୍କିଙ୍କୁ ଗିରଫ କରାଯିବା ସହିତ ତାଙ୍କ ନିକଟରୁ ୫ କିଲୋଗ୍ରାମ ଆଇଇଡି ଜବତ କରାଯାଇଛି । ଜମ୍ମୁ କାଶ୍ମୀର ପୁଲିସ ଏ ସମ୍ପର୍କରେ ଅଧିକ ତଦନ୍ତ କରୁଛି । ପ୍ରଥମ ବିସ୍ଫୋରଣ ଯୋଗୁଁ ଗୋଟାଏ କୋଠାଘରର ଛାତ ଉଡ଼ିଯାଇଥିବା ବେଳେ ଦ୍ବିତୀୟ ବିସ୍ଫୋରଣଟି ଭୂମିରେ ସଙ୍ଗଠିତ ହୋଇଛି। ସୂଚନାଯୋଗ୍ୟ, ଜମ୍ମୁ ବିମାନ ବନ୍ଦର ରନ୍ୱେ ଏବଂ ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥାଏ। ସେଠାରେ ଯାତ୍ରୀବାହୀ ବିମାନ ମଧ୍ୟ ଚଳାଚଳ କରେ। ଏହା ପୂର୍ବରୁ ଶନିବାର ଜମ୍ମୁ କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ବାରବର ଶାହ ଅଞ୍ଚଳରେ ଏକ ମିଳିତ ପାଟ୍ରୋଲିଂ ଦଳ ଉପରକୁ ଆତଙ୍କବାଦୀଙ୍କର ଗ୍ରେନେଡ ମାଡରେ ଚାରିଜଣ ସାଧାରଣ ନାଗରିକ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀର ପୁଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ବାହିନୀର ମିଳିିତ ପାଟ୍ରୋଲିଂ ଦଳ ଯାଉଥିବାବେଳେ ସେମାନଙ୍କ ଉପରକୁ ଏହି ଗ୍ରେନେଡ ମାଡ କରାଯାଇଥିଲା । ତେବେ ତାହା ଲକ୍ଷ୍ୟଭ୍ରଷ୍ଟ ହୋଇ ରାସ୍ତା ଉପରେ ବିସ୍ଫୋରଣ ଘଟିଥିଲା । ସେଥିରେ ଆହତ ଚାରିଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
Powered by Froala Editor