‘ନୂଆଁଖାଇ’ରେ ସିଏମ୍-କିଷାନର ପ୍ରଥମ କିସ୍ତି
ସିଏମ୍-କିଷାନ ଯୋଜନାର ପ୍ରଥମ କିସ୍ତି ସେପ୍ଟେମ୍ବର ୮ତାରିଖ ‘ନୂଆଁଖାଇ’ ଅବସରରେ ପ୍ରଦାନ କରାଯିବ। ଏନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ଡିଜିଟାଲ ଫସଲ ସର୍ବେକ୍ଷଣର ସମୀକ୍ଷା ବୈଠକ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ଯୋଗ ଦେଇଛନ୍ତି। ରାଜ୍ୟର ସମସ୍ତ ଜିଲାରୁ ଜିଲାପାଳମାନେ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଗ ଦେଇଛନ୍ତି। ଇ-ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି।
ଏହି ସର୍ବେକ୍ଷଣ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍ କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇପାରିବେ। ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୂଆଁଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ସିଂହଦେଓ କହିଛନ୍ତି।
Powered by Froala Editor