ଋଣ ଭାର ଯୋଗୁଁ ଆତ୍ମହତ୍ୟା କଲେ ଦମ୍ପତି, ଅନାଥ ହୋଇଗଲା ୮ ମାସର ପୁଅ
ଋଣ ଭାର ବଢି ଚାଲିଥିଲା । ଦିନ ଦିନ ଧରି ଘରେ ଝଗଡା ଲାଗି ରହୁଥିଲା । ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଲେ ଦମ୍ପତି । ଏମିତି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗୀ ଥାନା କନ୍ତଳବାଇ ପଞ୍ଚାୟତ ତେନ୍ତୁଳିଆପଡ଼ା ଗ୍ରାମରେ । ମୃତ ଦମ୍ପତି ହେଲେ ବିପିନ ପରିଡ଼ା(୨୭) ଓ ସାଗେରୀ ପରିଡ଼ା(୨୨) ।
ବିପିନ ସେହି ଗ୍ରାମର ସାଗେରୀଙ୍କୁ ବିବାହ କରିଥିଲେ । ସେମାନଙ୍କର ଏକ ୮ ମାସର ପୁତ୍ର ସନ୍ତାନ ମଧ୍ୟ ରହିଛି । ବିପିନ ଅଧିକାଂଶ ସମୟ ନିଶା ସେବନ କରେ । ନିଶାରେ ରହୁଥିବାରୁ ସେ କିଛି କାମଧନ୍ଦା କରୁନଥିଲ । ପୂର୍ବରୁ ଓଡ଼ିଶା ବାହାରେ କାମ କରୁଥିବାବେଳେ ଗତ ନିର୍ବାଚନ ସମୟରେ ଗାଁକୁ ଫେରିଥିଲେ । ସେବେଠାରୁ ବିପିନ ଗାଁରେ ରହିଥିଲା । କିଛି କାମ କରୁନଥିବାରୁ ଗ୍ରାମରେ ସେ ଅନେକଙ୍କଠାରୁ ଧାରକରଜ କରିଥିବା ଜଣାଯାଇଛି । ସ୍ତ୍ରୀ ଏଥିପାଇଁ ସବୁବେଳେ ତାଙ୍କୁ ତାଗିଦ କରୁଥିବାରୁ ଘରେ କଳି ଝଗଡ଼ା ଲାଗୁଥିଲା ।
ସୋମବାର ରାତିରେ ଦମ୍ପତି ପୁଅକୁ ଧରି ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଶିଶୁ ପୁତ୍ର ଜୋର୍ରେ କାନ୍ଦୁଥିବା ଶୁଣିବାକୁ ପାଇଥିଲେ ବିପିନଙ୍କ ଭାଉଜ । କବାଟ ଭିତରୁ ବନ୍ଦଥିଲା । ସାହିପଡ଼ିଶା ଲୋକଙ୍କୁ ଡାକି ଦ୍ୱାର ଭାଙ୍ଗିବା ପରେ ବିପିନ ଓ ସାଗେରୀ ଆତ୍ମହତ୍ୟା କରିଦେଇଥିବା ଜଣାପଡିଥିଲା । ଭୂଷଣ୍ଡପୁର ଫାଣ୍ଡି ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ପଠାଇଛି ।
ଉଭୟ ଦମ୍ପତିଙ୍କ ବୟସ କମ୍ ଥିଲା । ନିଶାଗ୍ରସ୍ତ ହୋଇ ବିପିନ ସବୁବେଳେ ଘରେ ଝଗଡା କରୁଥିଲା । କିନ୍ତୁ ଚରମ ନିଷ୍ପତ୍ତି ଯୋଗୁଁ ଅନାଥ ହୋଇଯାଇଛି ୮ ମାସର ଶିଶୁ । କାନ୍ଦି କାନ୍ଦି ରାହା ଛାଡୁଥିଲେ ବି ବୁଝାଇବାକୁ କେହି ନାହାନ୍ତି । ବିପିନଙ୍କ ଭାଉଜ ଶିଶୁଟିକୁ କୋଳେଇ ନେଇଥିଲେ ବି ତାର ଭବିଷ୍ୟତ କ’ଣ ହେବ ବୋଲି ଲୋକେ କହୁଛନ୍ତି ।
Powered by Froala Editor