ଜମି ବିକ୍ରି ବେଆଇନ କାରବାର : ୨ ସବ୍-ରେଜିଷ୍ଟ୍ରାର ନିଲମ୍ବିତ

ରାଜ୍ୟ ସରକାର ୨ ଜଣ ସବ୍-ରେଜିଷ୍ଟ୍ରାରଙ୍କୁ ବୁଧବାର ଚାକିରିରୁ ନିଲମ୍ବିତ କରିଛନ୍ତି। ଜମି ବିକ୍ରିରେ ବେଆଇନ କାରବାର କରିବା ଅଭିଯୋଗରେ ରାଜ୍ୟ ସରକାର ଜଗତପୁର ସବରେଜିଷ୍ଟ୍ରାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ଓ ପିପିଲି ଅତିରିକ୍ତ ତହସିଲଦାର ତଥା ଭାରପ୍ରାପ୍ତ ସବରେଜିଷ୍ଟ୍ରାର ନବକିଶୋର ପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । କଟକ ଓ ଭୁବନେଶ୍ୱର ସହରର ପାଶ୍ୱର୍ରେ ଥିବା ଏହି ଦୁଇ ତହସିଲ ଅଂଚଳରେ ଜମି କିଣାବିକା ବ୍ୟାପକ ଭାବେ ବଢ଼ିଥିବାବେଳେ ସବରେଜିଷ୍ଟ୍ରାରଙ୍କୁ ଧରି ଜମି ମାଫିଆମାନେ ବେଆଇନ କାର୍ଯ୍ୟ କରୁଥିବା ଜଣାପଡ଼ିଛି ।
ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ଜଗତପୁର ସବରେଜିଷ୍ଟ୍ରାର କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବେ। ନିଲମ୍ବନ ନ ହଟିବା ପର୍ଯ୍ୟନ୍ତ ପାତ୍ର ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥାନ ଦେବେ। ଏଥିସହ ବିନା ଅନୁମତିରେ କୌଣସି ପ୍ରକାର ଛୁଟି ନେଇପାରିବେ ନାହିଁ ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Powered by Froala Editor