ବିନା ଦୋଷରେ ଆଜୀବନ ଜେଲ୍, ୪୩ ବର୍ଷ ପରେ ମୁକୁଳିଲେ ମହିଳା
ଦୀର୍ଘ ୪୩ ବର୍ଷ ଜେଲ୍ରେ ଥିବା ଜଣେ ଆମେରିକୀୟ ମହିଳା ମୁକ୍ତ ହୋଇଛନ୍ତି । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ, ଯେଉଁ ହତ୍ୟା ଅପରାଧରେ ତାଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା, ପ୍ରକୃତ ହତ୍ୟାକାରୀ ସେ ନ ଥିଲେ । ନିର୍ଦ୍ଦୋଷ ହୋଇ ମଧ୍ୟ ଦୀର୍ଘ ୪୩ ବର୍ଷ ସେ ଜେଲରେ ରହିଥିଲେ । ଗତ ଶୁକ୍ରବାର ମହିଳା ଜଣକ ଜେଲରୁ ମୁକୁଳିବା ପରେ ନିକଟସ୍ଥ ଏକ ପାର୍କରେ ପରିବାରକୁ ଭେଟିଥିଲେ । ଝିଅ, ଭଉଣୀ ଓ ନାତୁଣୀଙ୍କୁ ଦେଖି ସେ ଭାବବିହ୍ୱଳ ହୋଇପଡ଼ିଥିଲେ ।
ଏହି ଘଟଣା ଆମେରିକା ଇତିହାସରେ ସବୁଠୁ ଲମ୍ବା ଅବଧିର ତ୍ରୁଟିପୂର୍ଣ୍ଣ ଜେଲଦଣ୍ଡ ବୋଲି ୬୪ ବର୍ଷୀୟା ସାଣ୍ଡ୍ରା କହିଛନ୍ତି । ତାଙ୍କ ପାଇଁ ନ୍ୟାୟିକ ଲଢ଼େଇରେ ନିୟୋଜିତ ଟିମ୍ କହିଛନ୍ତି, ଦୀର୍ଘ ୪୩ ବର୍ଷ ପରେ ପରିବାର ସହ ସାଣ୍ଡ୍ରାଙ୍କର ମିଳନ ହୋଇଛି । ତାଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ସେମାନେ ଲଢ଼େଇ ଜାରି ରଖିବେ ।
ଘଟଣା ୧୯୮୦ ମସିହାର । ନଭେମ୍ବର ମାସରେ ମିସୌରି ସ୍ଥିତ ସେଣ୍ଟ୍ ଜୋସେଫ୍ର ଲାଇବ୍ରେରୀ କର୍ମଚାରୀ ପାଟ୍ରିସିଆ ଜେସକେ ନାମ୍ନୀ ଜଣେ ମହିଳାଙ୍କୁ ଛୁରି ଭୁଷି ହତ୍ୟା କରିବା ଅଭିଯୋଗରେ ୨୦ ବର୍ଷୀୟା ସାଣ୍ଡ୍ରା ହେମେ ଦୋଷୀ ପ୍ରମାଣିତ ହୋଇଥିଲେ । ତାଙ୍କୁ ଆଜୀବନ ଜେଲଦଣ୍ଡ ହୋଇଥିଲା । ତାଙ୍କ ଅପରାଧ ସମ୍ପର୍କରେ କୌଣସି ପ୍ରମାଣ ନ ଥିଲା ।
କିନ୍ତୁ ଗତ ଜୁନ୍ ୧୪ ତାରିଖରେ ସର୍କିଟ୍ କୋର୍ଟ ବିଚାରକ ର୍ୟାନ୍ ହର୍ସମ୍ୟାନ୍ଙ୍କର ୧୧୮ ପୃଷ୍ଠାର ନିଷ୍ପତ୍ତି ସାଣ୍ଡ୍ରାଙ୍କ ବିରୋଧରେ ନିଷ୍ପତ୍ତିକୁ ବଦଳାଇ ଦେଇଥିଲା । ଏଥିରେ ଉଲ୍ଲେଖ ହୋଇଥିଲା, ସାଣ୍ଡ୍ରାଙ୍କ ଓକିଲଙ୍କ ପାଖରେ ତାଙ୍କ ନିର୍ଦ୍ଦୋଷତାର ସ୍ପଷ୍ଟ ପ୍ରମାଣ ଥିଲା । ସ୍ଥାନୀୟ ପୁଲିସ ଏହି ପ୍ରମାଣକୁ ଅଣଦେଖା କରିଥିଲା । ଏହା ସ୍ପଷ୍ଟ ଦର୍ଶାଇଥିଲା ଯେ ଥାନାର ଜଣେ ପୁଲିସ ଅଧିକାରୀ ମାଇକେଲ ହୋଲମ୍ୟାନ୍ ମାମଲାର ମୁଖ୍ୟ ଅଭିଯୁକ୍ତ । ହତ୍ୟା ଦିନ ହୋଲମ୍ୟାନ୍ଙ୍କ ଟ୍ରକ୍ ଉକ୍ତ ଅଞ୍ଚଳରେ ଦେଖିବାକୁ ମିଳିଥିଲା । ସେ ମୃତକ ପାଟ୍ରିସିଆଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରିଥିଲେ, କିନ୍ତୁ ଏହାକୁ ଏକ ଗର୍ତ୍ତରୁ ପାଇଥିଲେ ବୋଲି ଦାବି କରିଥିଲେ । ପାଟ୍ରିସିଆଙ୍କର ହଳେ କାନଫୁଲକୁ ତାଙ୍କ ବାପା ଚିହ୍ନଟ କରିଥିଲେ, ଯାହା ହୋଲମ୍ୟାନ୍ଙ୍କ ଘରେ ମିଳିଥିଲା । ଉପରୋକ୍ତ କୌଣସି ଘଟଣା ବିଷୟରେ ସାଣ୍ଡ୍ରାଙ୍କ ଓକିଲ ଟିମ୍କୁ ସେତେବେଳେ ସୂଚନା ଦିଆଯାଇ ନଥିଲା ।
ଏ ମାମଲାରେ ସାଣ୍ଡ୍ରାଙ୍କୁ ମାନସିକ ରୋଗ ହସ୍ପିଟାଲରେ ଭର୍ତ୍ତି କରି ଶକ୍ତିଶାଳୀ ନିଶା ଔଷଧ ଦେଇ ପୁଲିସ ଅନେକ ଥର ପଚରାଉଚରା କରିଥିଲା । ସେ ଅବଚେତନ ଅବସ୍ଥାରେ ଥିବାବେଳେ ହତ୍ୟା କରିଥିବା କହିଥିଲେ । କିନ୍ତୁ ଔଷଧର ପାଶ୍ୱର୍ ପ୍ରତିକ୍ରିୟାରେ ସେ ଭୀଷଣ ଯନ୍ତ୍ରଣାର ସମ୍ମୁଖୀନ ହେଉଥିଲେ । ଫରେନ୍ସିକ୍ ଯାଞ୍ଚ୍ରୁ ହତ୍ୟା ସହିତ ସାଣ୍ଡ୍ରାଙ୍କ ସମ୍ପର୍କ ବିଷୟରେ କୌଣସି ପ୍ରମାଣ ମିଳିନଥିବା ବିଚାରକଙ୍କ ସମୀକ୍ଷା ପତ୍ରରେ ସ୍ପଷ୍ଟ ହୋଇଛି । ଅନ୍ୟ ଏକ ଅପରାଧ ପାଇଁ ଜେଲଦଣ୍ଡରେ ଦଣ୍ଡିତ ପୁଲିସ ଅଧିକାରୀ ହୋଲମ୍ୟାନ୍ଙ୍କର ୨୦୧୫ ମସିହାରେ ମୃତ୍ୟୁ ହୋଇଯାଇଛି ।
Powered by Froala Editor