ତୁଳସୀକ୍ଷେତ୍ରରେ ନୀତି ବିଭ୍ରାଟ : ୨ଟା ଯାଏ ଉପାସ ରହିଲେ ଠାକୁର
ଏବର୍ଷ କେନ୍ଦ୍ରାପଡ଼ା ଶ୍ରୀବଳଦେବଜିଉଙ୍କ ରଥଯାତ୍ରା ଆରମ୍ଭ ଦିନଠାରୁ ବିବାଦ ଲାଗି ରହିଛି । ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତି ବିଳମ୍ବିତ ହେବା ଯୋଗୁଁ ରଥଟଣା ଆରମ୍ଭ ହୋଇପାରିଲାନି । ପରଦିନ ରଥଟଣା ଆରମ୍ଭ ହୋଇଥିଲେ ମଧ୍ୟ ବ୍ରହ୍ମତାଳଧ୍ୱଜ ରଥ ଅଧାବାଟରେ ଅଟକିଥିଲା । ଚତୁର୍ଥ ଦିନରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ପୁଣି ତିନି ଠାକୁରଙ୍କ ନୀଳାଦ୍ରି ବିଜେ ଉତ୍ସବରେ ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଛି । ପୂଜାପଣ୍ଡା-ବିଜେ ପଣ୍ଡା ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ଠାକୁରଙ୍କ ନୀତିକାନ୍ତି ପ୍ରାୟ ୩ ଘଣ୍ଟା ବିଳମ୍ବିତ ହୋଇଛି । ଯେଉଁଥିପାଇଁ ଅପରାହ୍ନ ୨ଟା ଯାଏ ଠାକୁରଙ୍କ ସକାଳ ସ୍ନାନ, ବଲ୍ଲଭ ମଣୋହି ଓ ସକାଳ ଧୂପ ହୋଇ ପାରିନଥିଲା । ଶ୍ରୀଜିଉମାନେ ଉପାସ ରହିଥିଲେ । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଆଘାତ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, ପୂଜାପଣ୍ଡା ସେବକ ପ୍ରଶାନ୍ତ ପତ୍ରୀ ନିଜ ଯଜମାନଙ୍କ ତରଫରୁ ରଥାରୂଢ଼ ଠାକୁରଙ୍କୁ ତୁଳସୀମାଳ ଅର୍ପଣ କରିବାକୁ ଆସିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ବିଜେପଣ୍ଡା ସେବକ ବାୟା କର ତାଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣା ଏତେ ତୀବ୍ର ହେଲାଯେ, ବାୟା ତାଙ୍କୁ ଧକ୍କା ମାରିଥିଲେ । ଯାହାକୁ ନେଇ ବିବାଦ ଉଗ୍ର ରୂପ ନେଇଥିଲା । ଧୀରେ ଧୀରେ ବିବାଦକୁ ନେଇ ଠାକୁରଙ୍କ ନୀତି ବିଳମ୍ବ ହୋଇ ଚାଲିଥିଲା ।
ଶେଷରେ ଦେବୋତ୍ତର ସଂସ୍ଥା ଟ୍ରଷ୍ଟ ବୋର୍ଡ ସଭାପତି ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ମନ୍ଦିର ଟ୍ରଷ୍ଟବୋର୍ଡ ସଦସ୍ୟଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ସେବାୟତଙ୍କ ମତଭେଦ ପ୍ରସଙ୍ଗ ଉପରେ ଆଲୋଚନା ସହ ମହାପ୍ରଭୁଙ୍କ ନୀତିକାନ୍ତି କିପରି ସୁରୁଖୁରୁରେ ଶେଷ ହେବ ସେ ନେଇ ଆଲୋଚନା କରାଯାଇଥିଲା । ଶନିବାର ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ହେବା ପରେ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା । ହେଲେ ଏସବୁ ଭିତରେ ଠାକୁର ଅପରାହ୍ନ ଯାଏ ଉପବାସ ରହିଥିଲେ । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।
Powered by Froala Editor