ଲକ୍ଷ୍ନୌରେ ଏମରଜେନ୍ସି ଲ୍ୟାଣ୍ଡିଂ କଲା ୟୁପି ଡେପୁଟି ସିଏମ୍ ଙ୍କ ହେଲିକପ୍ଟର
ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ଉଡ଼ାଣ ଭରିବାର କିଛି ସମୟ ପରେ ତାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଲକ୍ଷ୍ନୌର ଅମୌସୀ ବିମାନବନ୍ଦରରେ ଏହାର ଜରୁରୀକାଳୀନ ଅବତରଣ କରାଯାଇଛି ।
କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍ ଖରାପ ହୋଇଯାଇଛି। କ୍ୟାବିନ ଧୂଆଁରେ ପୂର୍ଣ୍ଣ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ସୁରକ୍ଷା କର୍ମଚାରୀ ସୁରକ୍ଷିତ ଅଛନ୍ତି। ସେମାନେ ଏବେ ସଡ଼କ ପଥରେ କୌଶାମ୍ବୀ ଯାତ୍ରା କରୁଛନ୍ତି।ଉପମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସହିତ ଜଡିତ ଏହି ଘଟଣା ବିଷୟରେ ସୂଚନା ମିଳିବା ମାତ୍ରେ ପ୍ରଶାସନ ଏବଂ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଲେ। ହେଲିକପ୍ଟର ତ୍ରୁଟିର ତଦନ୍ତ ପାଇଁ ଏକ ବୈଷୟିକ ଦଳ କାର୍ଯ୍ୟ କରୁଛି।
ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପାଇଲଟ୍ ତୁରନ୍ତ ଲକ୍ଷ୍ନୌ ଏଟିସି (ATC) ସହ ଯୋଗାଯୋଗ କରିଥିଲେ ଏବଂ ଅମୌସୀ ବିମାନବନ୍ଦରରେ ଅବତରଣ ପାଇଁ ଅନୁମତି ମାଗିଥିଲେ । ସୂଚନା ପାଇବା ମାତ୍ରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ଏବଂ ହେଲିକପ୍ଟରଟି ସୁରକ୍ଷିତ ଭାବେ ଓହ୍ଲାଇଥିଲା । ହେଲିକପ୍ଟର ଅବତରଣ କରିବା ମାତ୍ରେ ସୁରକ୍ଷା କର୍ମୀ ଓ ବୈଷୟିକ ଟିମ୍ ଉପମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ପ୍ରାଥମିକ ତଦନ୍ତରୁ ଏହା ଏକ ଯାନ୍ତ୍ରିକ ତ୍ରୁଟି ବୋଲି ଜଣାପଡ଼ିଛି ।
Powered by Froala Editor