ନବୀନ ପଟ୍ଟନାୟକଙ୍କ ନାମରେ ଏତଲା, କିଏ ଓ କାହିଁକି ଦେଲେ ଜାଣନ୍ତୁ...

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନାମରେ ଏତଲା ଦିଆଯାଇଛି । ନିଖିଳ ଓଡ଼ିଶା ଠିକାଦାର ମହାସଂଗ ପକ୍ଷରୁ ନବୀନଙ୍କ ବିରୋଧରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଛି । କେବଳ ନବୀନ ନୁହନ୍ତି, ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାମରେ ମଧ୍ୟ ଏତଲା ଦିଆଯାଇଛି । ପ୍ରତିଶ୍ରୁତି ସତ୍ତ୍ୱେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଏହି ଏତଲା ଦିଆଯାଇଛି ।
ମହାସଂଘର ସଭାପତି ପ୍ରଭାତ ଦାଶ ଓ ସମ୍ପାଦକ ଭାଗ୍ୟଧର ଦାଶ ଅଭିଯୋଗ କରିଛନ୍ତି, ୨୦୧୯ ମସିହାରେ ଲୋୟର ପିଏମଜିରେ ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଥିରେ ବ ପ୍ରୋଜେକ୍ଟ କରି ରାଜ୍ୟ ବାହାର ଠିକାଦାରଙ୍କୁ ଟେଣ୍ଡର ନ ଦେବା ଓ ଠିକାଦାରଙ୍କୁ ବଡ଼କାମକୁ ଭାଗଭାଗ କରି ଦେବା, ପ୍ରତିବର୍ଷ ଆନୁଷଙ୍ଗିକ ଉପରକରଣ ଦର ବୃଦ୍ଧି କରିବା, ୧୪ .୯୯ ପ୍ରତିଶତ ପ୍ରକ୍ରିୟା ବନ୍ଦ କରିବା, ଲାଇସେନ୍ସଧାରୀଙ୍କ ପାଇଁ ୫୦ କୋଟି ପର୍ୟ୍ୟନ୍ତ ସମସ୍ତ ନିୟମାବଳୀକୁ ପ୍ରତ୍ୟାହାର କରିବା ଭଳି ୧୦ଟି ଦାବି ଉପସ୍ଥାପନ କରାଯାଇଥିଲା। ଏହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଏକ କମିଟି ଗଠନ କରାଯାଇ ଉକ୍ତ ଦାବିଗୁଡିକ ପୂରଣ କରିବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା। କିନ୍ତୁ ଦୀର୍ଘ ସାଢେ ୪ ବର୍ଷ ପରେ କୌଣସି ଗୋଟିଏ ଦାବି ପୂରଣ କରାଯାଇ ନାହିଁ। ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ବୀର ବିକ୍ରମ ଯାଦବଙ୍କ ନାମରେ ଏତଲା ଦିଆଯାଇଥିବା ମହାସଂଘ ପକ୍ଷରୁ କୁହାଯାଇଛି।
Powered by Froala Editor