କାର୍ ଛାଡି ଧାଁଇଲେ ଗଞ୍ଜେଇ ମାଫିଆ, ୫ କିମି ଗୋଡ଼ାଇ ଧରିଲା ପୁଲିସ
ଫୁଲବାଣୀରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ ବେଳେ ରାତିଅଧରେ ମାଡି ବସିଛି ପୁଲିସ । ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀରୁ ଯାଁଳା ପ୍ରାୟ ୫ କିମି ଗୋଡ଼ାଇବା ପରେ ପୁଲିସ ଗଞ୍ଜେଇ ଭର୍ତ୍ତି କାର୍କୁ ଜବତ କରିବା ସହ ୨ ମାଫିଆଙ୍କୁ ଗିରଫ କରିଛି । ଦୁଇଜଣ ହେଲେ କନ୍ଧମାଳ ଖଜୁରିପଡ଼ା ଥାନା ଗୁଡ଼ାରିର ସିପୁନ ବେହେରା(୩୧) ଏବଂ ସେହି ଗ୍ରାମର ଅନନ୍ତ ଦିଘାଲ(୩୨) । କାର୍ରୁ ୧ କୁଇଣ୍ଟାଲ ୧୨ କିଲୋ ଗଞ୍ଜେଇ ଜବତ ହୋଇଛି, ଯାହାର ବଜାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ।
ଫୁଲବାଣୀରୁ ରାଜ୍ୟ ବାହାରକୁ ବହୁ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ସ୍ପେଶାଲ କ୍ରାଇମ୍ ୟୁନିଟ୍ ଖବର ପାଇଥିଲା । ଅଭିଯୁକ୍ତ ଏକ ଧଳା କାର୍ରେ କନ୍ଧମାଳରୁ ଭାୟା ଭୁବନେଶ୍ୱର ଦେଇ ଝାଡ଼ଖଣ୍ଡକୁ ଗଞ୍ଜେଇ ଚାଲାଣ କରୁଥିଲେ । ତେଣୁ ଏସ୍ସିୟୁର ୩ଟି ଟିମ୍ ଉକ୍ତ ଗଞ୍ଜେଇ ଭର୍ତ୍ତି ଗାଡ଼ିକୁ ଧରିବା ପାଇଁ ରାତିରେ ବାହାରି ପଡ଼ିଥିଲେ । ୨ଟି ଟିମ୍ ଖୋର୍ଦ୍ଧା ପିତାପଲ୍ଲୀ ନିକଟରେ ଗାଡ଼ିକୁ ଛକି ରହିଥିବା ବେଳେ ଅନ୍ୟ ଏକ ଟିମ୍ ଯାଁଳା ଫ୍ଲାଏ ଓଭରବ୍ରିଜ ଉପରେ ଥିଲେ । ସେମାନେ ରୋଡ୍ ବ୍ଲକ୍ କରି ଗାଡ଼ିକୁ ଅଟକାଇବା ପାଇଁ ପ୍ରସ୍ତୁତ ଥିଲେ । ରାତି ପ୍ରାୟ ୨ଟାରେ ଏକ ଧଳା ରଙ୍ଗର କାର୍ (ଓଡି୦୧ଏଏଲ୍-୮୬୫୬) ଆସୁଥିବା ବେଳେ ପିତାପଲ୍ଲୀ ନିକଟରେ ଏସ୍ସିୟୁ ଟିମ୍ କାର୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ କାର୍ ନ ଅଟକି ଦ୍ରୁତ ଗତିରେ ଖସି ପଳାଇଥିଲା । ତେଣୁ ୨ ଟିମ୍ ଉକ୍ତ କାର୍ର ପିଛା କରିଥିଲେ । ବାଟରେ ଦୁଇ ଟିମ୍ କାର୍କୁ ଅଟକାଇବା ପାଇଁ ୫ ଥର ଉଦ୍ୟମ କରିଥିଲେ ମଧ୍ୟ ମାଫିଆମାନେ ଖସିଯିବାରେ ସକ୍ଷମ ହେଉଥିଲେ ।
ଶେଷରେ ଯାଁଳା ଫ୍ଲାଏ ଓଭର ଉପରେ ଥିବା ଟିମ୍କୁ ସୂଚନା ଦିଆ ଯାଇଥିଲା । କାର୍କୁ ଯାଁଳା ନିକଟରେ ବ୍ଲକିଂ କରାଯାଇ ଅଟକାଇବା ବେଳେ କାର୍ରେ ଥିବା ୨ ମାଫିଆ କାର୍ ଛାଡ଼ି ଦୌଡ଼ିଥିଲେ । ପୁଲିସ ଟିମ୍ ଗୋଡ଼ାଇ ଗୋଡ଼ାଇ ଉଭୟଙ୍କୁ ମାଡ଼ି ବସିଥିଲେ । କାର୍ ଯାଞ୍ଚ କରିବା ବେଳେ ପଛ ସିଟ୍ ତଳେ ଓ ପଛ ସିଟ୍ ପଛରେ ୨ଟି ଚାମ୍ବର କରାଯାଇ ସେଥିରେ ଗଞ୍ଜେଇ ପ୍ୟାକେଟ୍ ସବୁ ଖଞ୍ଜା ହୋଇଥିଲା । ଗଞ୍ଜେଇ ଓଜନ କରିବାରେ ତାହା ୧୧୨ କିଲୋ ହୋଇଥିଲା । ୨ ମାଫିଆଙ୍କୁ ଜେରାବେଳେ ସେମାନେ ଫୁଲବାଣୀରୁ ଗଞ୍ଜେଇ ନେଇ ଝାଡ଼ଖଣ୍ଡକୁ ଚାଲାଣ କରୁଥିବା ସ୍ୱୀକାର କରିଥିଲେ । ହେଲେ ଝାଡ଼ଖଣ୍ଡରେ କାହାକୁ ଯୋଗାଇଥାନ୍ତେ ସେ ନେଇ ମୁହଁ ଖୋଲି ନଥିଲେ ।
Powered by Froala Editor