ମାଡ଼ିଲାଣି ଡେଙ୍ଗୁ : ୨୬ ଜିଲ୍ଲାରୁ ୪୬୩ ରୋଗୀ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ
ରାଜ୍ୟରେ ଡେଙ୍ଗୁ ସ୍ଥିତି ଭୟଙ୍କର । ରିପୋର୍ଟ ଅନୁଯାୟୀ, ଜୁନ ଶେଷ ସୁଦ୍ଧା ୨୬ଟି ଜିଲ୍ଲାରେ ୪୬୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୧୨୫ ଡେଙ୍ଗୁ ରୋଗୀ ଥିବା ବେଳେ ଭୁବନେଶ୍ୱରରେ ୭୪ ରୋଗୀ ରହିଛନ୍ତି । କିନ୍ତୁ ୨୬ଟି ଜିଲ୍ଲାରେ ଡେଙ୍ଗୁ ରୋଗୀ ରହିଥିବା ବେଳେ ଅନୁଗୁଳ, ଦେବଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁରରେ କୌଣସି ରୋଗୀ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ କହିଛି । ଜୁନ ସୁଦ୍ଧା ରାଜ୍ୟରେ ଡେଙ୍ଗୁଜନିତ ମୃତ୍ୟୁର ରିପୋର୍ଟ ଆସିନାହିଁ ବୋଲି ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ କହିଥିଲେ ।
ବୁଧବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଡେଙ୍ଗୁ ସମୀକ୍ଷା ବୈଠକରେ ଡେଙ୍ଗୁ ତଥ୍ୟ ଉପସ୍ଥାପନ କରାଯାଇଥିଲା । ତଥ୍ୟ ଅନୁସାରେ ମାସକ ମଧ୍ୟରେ ୩୪ ହଜାର ୪୭୬ ନମୁନା ସଂଗୃହିତ ହୋଇଛି । ଏହାପରେ ଡେଙ୍ଗୁର ନିରାକରଣ ଉପରେ ଆଲୋଚନା ହୋଇଥିଲା । ଡେଙ୍ଗୁ ଭୂତାଣୁ ଏଡିସ୍ ମଶା ଦ୍ୱାରା ବ୍ୟାପୁଥିବାରୁ ଏଥିପ୍ରତି ବ୍ୟାପକ ଜନସଚେତନତା ଆବଶ୍ୟକ ରହିଛି । ଡେଙ୍ଗୁ ମୁକାବିଲା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ବିଜ୍ଞାପିତ ଅଞ୍ଚଳ, ପୌରାଞ୍ଚଳରେ ସହରାଞ୍ଚଳ ଟାକ୍ସଫୋର୍ସ ଗଠନ କରିବା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ପଡ଼ି ରହୁଥିବା ପ୍ଲାଷ୍ଟିକ ବ୍ୟାଗ, କପ, ନଡିଆ କତାକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବିଦ୍ୟାଳୟରେ ପ୍ରାର୍ଥନା ସଭାରେ ଛାତ୍ରଛାତ୍ରୀଙ୍କୁ ଡେଙ୍ଗୁ ସଂପର୍କରେ ସଚେତନତାର ବାର୍ତ୍ତା ବାଣ୍ଟିବେ ଶିକ୍ଷକ, ଶିକ୍ଷୟିତ୍ରୀ । ଏନେଇ ଡେଙ୍ଗୁ ସଚେତନତା ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଏହାବାଦ୍ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗ୍ରାମାଞ୍ଚଳ ଓ ବସ୍ତି ଅଞ୍ଚଳରେ ମହିଳା, ପିଲାଙ୍କୁ ସଚେତନ କରିବାକୁ କୁହାଯାଇଥିଲା । ‘ଆମ କୃଷି’ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କୁ ସତେତନ କରାଯିବା ସହ ଜଳାଶୟରେ ମଶା ଲାର୍ଭା ନଷ୍ଟ କରୁଥିବା ମାଛ ଛାଡିବା ଉପରେ ଆଲୋଚନା ହୋଇଥିଲା ।
Powered by Froala Editor