ଜାମିନ କରାଇଦେବା ପାଇଁ ନେଉଥିଲେ ୮ ହଜାର ଲାଞ୍ଚ, ପୁଲିସ ଏସ୍ଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
୮ ହଜାର ଟଙ୍କା ଲାଞ୍ଚ ନେଇ ଖସି ପଳାଉଥିବାବେଳେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବିବେକାନନ୍ଦ ସାହୁଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ି ବସିଛି । ଘଟଣା ଏମିତି ଯେ, କୁଜଙ୍ଗ ଥାନା ବାଗାଇ ଗ୍ରାମର ସରୋଜ କୁମାର ସ୍ୱାଇଁ ଜମିବାଡ଼ିକୁ ନେଇ ପଡ଼ୋଶୀଙ୍କ ବିବାଦ ଲାଗିଥିଲା । ଏଥିପାଇଁ ମେ’ ମାସରେ କୁଜଙ୍ଗ ଥାନାରେ ଦୁଇ ପକ୍ଷ ପକ୍ଷରୁ ଅଭିଯୋଗ କରାଯାଇଥିଲା । ଯାହାର ତଦନ୍ତକାରି ଅଫିସର ଥିଲେ ଥାନାର ସବ୍ ଇନ୍ସପେକ୍ଟର ବିବେକାନନ୍ଦ ସାହୁ । ସବ୍ଇନ୍ସପେକ୍ଟର ସରୋଜଙ୍କ ଅଭିଯୋଗକୁ ଗୁରୁତ୍ୱ ନଦେଇ ପ୍ରତିପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ସରୋଜ ଓ ତାଙ୍କ ପୁଅ ନାମରେ ମାମଲା ରୁଜୁୁ କରିଥିଲେ । ମାତ୍ର ସରୋଜ କରିଥିବା ପାଲଟା ଅଭିଯୋଗପତ୍ରକୁ ଅଫିସର ଜଣକ କୁଆଡ଼େ ଗାଏବ୍ କରି ଦେଇଥିଲେ । ସରୋଜଙ୍କ ସନ୍ଦେହ ହେବାରୁ ସେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ନ୍ୟାୟାଳୟ ସରୋଜଙ୍କୁ ଜାମିନ ପ୍ରଦାନ ପାଇଁ ତଦନ୍ତକାରୀ ଅଧିକାରୀ ଶ୍ରୀ ସାହୁଙ୍କ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଶ୍ରୀ ସାହୁ ଜାମିନ କରାଇଦେବା ପାଇଁ ଲାଞ୍ଚ ମାଗିବା ସହ ବିଭିନ୍ନ ଆଳ ଦେଖାଇ ସମୟ ଗଡ଼ାଇ ଚାଲିଥିଲେ । ଅନ୍ୟପଟେ ଶ୍ରୀ ସାହୁ ଯେତେବେଳେ ସରୋଜଙ୍କୁ ବଜାରରେ ଦେଖୁଥିଲେ ତାଙ୍କୁ ଅର୍ଥ ଦାବି କରିବା ସହ ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ବରାଦ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ସରୋଜ କଟକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହାଇଥିଲେ ।
ଗୁରୁବାର ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ କୁଜଙ୍ଗରେ ଡେରା ପକାଇଥିଲେ । ସରୋଜ ଓ ତାଙ୍କ ପୁଅ ଥାନାକୁ ଜାମିନ ପାଇଁ ଯାଇଥିବା ବେଳେ ସବ୍ ଇନ୍ସପେକ୍ଟର ସାହୁ ଥାନାରେ ଦେଢ଼ ଘଣ୍ଟା ଅଟକ ରଖି ୧୦ ହଜାର ଟଙ୍କା ଦାବି କରି ନିର୍ଯାତନା ଦେଇଥିଲେ । ପରେ ସରୋଜଙ୍କୁ ଜାମିନରେ ଆଣିବାକୁ ଯାଇଥିବା ଜାମିନଦାର୍ ଦ୍ୱାରା ୮ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ । ଟଙ୍କା ନେଇ ରାହାମା ଆଡେ ଯାଉଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲେ । ତାଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ ପରେ ଗିରଫ କରାଯାଇଛି ।
Powered by Froala Editor