କାମଚଳା ବାଚସ୍ପତି ଭାବେ ଶପଥ ନେଲେ ଭର୍ତ୍ତୃହରି, ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ
କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭର୍ତ୍ତୃହରି ମହତାବଙ୍କୁ ଶପଥ ପାଠ କରାଇଛନ୍ତି। ଏହାପରେ ସେ ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇଛନ୍ତି।
ଅଷ୍ଟାଦଶ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ପରେ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି ମହତାବ। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲୋକସଭାକୁ ବିଜୟୀ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିଲେ।
ତେବେ କଂଗ୍ରେସ ସଦସ୍ୟ କେ ସୁରେଶ, ଡିଏମକେ ନେତା କେ.ଟି ବାଲୁ ଏବଂ ଟିଏମସି ସାଂସଦ ସୁଦୀପ ବାନ୍ଦୋପାଧ୍ୟାୟ ଶପଥ ଗ୍ରହଣ କରିନାହାଁନ୍ତି। ଏହି ସାଂସଦମାନେ ଭର୍ତ୍ତୁହରି ମହତାବଙ୍କୁ ପ୍ରୋଟେମ୍ ବାଚସ୍ପତି ଭାବରେ ନିର୍ବାଚନରେ ଆପତ୍ତି ଜଣାଇଛନ୍ତି। ବିରୋଧୀ ଦଳ କହିଛନ୍ତି ଯେ, ଏହି ପଦବୀ ପାଇଁ ଆଠଥର ନିର୍ବାଚିତ ହୋଇଥିବା ସାଂସଦ ସୁରେଶଙ୍କୁ ଅଣଦେଖା କରାଯାଇଛି।
ପ୍ରକୃତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଧା ମୋହନ ସିଂ ଏବଂ ଫଗନ୍ ସିଂ କୁଲସ୍ତେ ସଦସ୍ୟ ଭାବରେ ଶପଥ ଗ୍ରହଣ କରିଥିଲେ। ଆସନ୍ତା ଦୁଇ ଦିନ ଧରି ଗୃହ କାର୍ଯ୍ୟ ପରିଚାଳନାରେ ଉଭୟ ସଦସ୍ୟ ପ୍ରୋଟେମ୍ ସ୍ପିକର ମହତାବଙ୍କୁ ସାହାଯ୍ୟ କରିବେ। ଏହା ବ୍ୟତୀତ କେ ସୁରେଶ, କେ.ଟି ବାଲୁ ଏବଂ ଟିଏମସି ସାଂସଦ ସୁଦୀପ ବାନ୍ଦୋପାଧ୍ୟାୟ ମଧ୍ୟ ରାଧା ମୋହନ ସିଂ ଏବଂ ଫଗନ୍ ସିଂ କୁଲସ୍ତେଙ୍କ ସହ ଚେୟାରମ୍ୟାନ୍ ପ୍ୟାନେଲରେ ମନୋନୀତ ହୋଇଛନ୍ତି। କିନ୍ତୁ ସେମାନେ ଶପଥ ନେଇ ନାହାଁନ୍ତି।
Powered by Froala Editor