ମହାକାଶରୁ ଘର ଉପରେ ଖସିଲା ଆବର୍ଜନା, କରିଦେଲା ଛାତ କଣା

ଫ୍ଲୋରିଡା: ମହାକାଶରୁ ଘର ଉପରେ ଆବର୍ଜନା ପଡିବା ପରେ ଆମେରିକାର ଫ୍ଲୋରିଡାସ୍ଥିତ ଗୋଟିଏ ପରିବାର ଇତିମଧ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ନିକଟରେ ୮୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୭ ଲକ୍ଷ ଟଙ୍କା) ଦାବି କରିଥିବା ଜଣାପଡିଛି। ଆଲେକ୍ଜାଣ୍ଡାର ଓଟେରୋଙ୍କ ଅଭିଯୋଗ ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୮ରେ ପ୍ରାୟ ୭୦୦ ଗ୍ରାମ ଓଜନର ଏକ ବସ୍ତୁ ତାଙ୍କ ଘର ଉପରେ ପଡିବା ଫଳରେ ଛାତ କଣା ହୋଇଥିଲା। ଏହାକୁ ନେଇ ସେ ନାସା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ଉପରୋକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଅପରପକ୍ଷରେ ମହାକାଶରେ ଥିବା ଆଇଏସଏସରେ ବ୍ୟବହୃତ ହୋଇସାରିଥିବା ବ୍ୟାଟେରିର କିଛି ଅଂଶ ଖସିିପଡିଛି ବୋଲି ନାସା ପକ୍ଷରୁ କୁହାଯାଇଛି।
ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ପୂର୍ବରୁ ଏହି ସାମଗ୍ରୀଗୁଡିକ ସାଧାରଣତଃ ମହାକାଶରେ ଖଣ୍ଡ ବିଖଣ୍ଡିତ ହୋଇଥାଏ। ତେବେ ଏହି ବସ୍ତୁଟି ଖଣ୍ଡ ବିଖଣ୍ଡିତ ନ ହୋଇ ଭୂପୃଷ୍ଠରେ ପଡିଛି ବୋଲି ନାସା କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ଦୁର୍ଘଟଣା ସମୟରେ ଓଟେରୋଙ୍କ ପୁଅ ଘରେ ଉପସ୍ଥିତ ଥିଲେ ସୁଦ୍ଧା କ୍ଷତିଗ୍ରସ୍ତ ହୋଇନଥିବା ସେ କହିଛନ୍ତି।
Powered by Froala Editor