ସୁସ୍ଥ ଜୀବନ ଯାପନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ: ଧର୍ମେନ୍ଦ୍ର
ଭୁବନେଶ୍ୱର: ସୁସ୍ଥ ଜୀବନଯାପନ ପାଇଁ ପ୍ରତିଦିନ ‘ଯୋଗ’ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ ଭାବରେ ସାମ୍ପ୍ରତିକ ସମୟରେ ଯୁବଗୋଷ୍ଠୀ ‘ଯୋଗ’ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ‘ଆନ୍ତର୍ଜାତିକ ଯୋଗ ଦିବସ’ ଅବସରରେ ଟ୍ୱିଟ ଯୋଗେ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଘରେ ରହି ଶ୍ରୀ ପ୍ରଧାନ ଯୋଗ କରିବା ସହ ଦେଶବାସୀଙ୍କୁ ଯୋଗ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ପ୍ରତିଦିନ ସକାଳେ ଯୋଗ କରିବା ଦ୍ୱାରା ଶରୀର ଓ ମନ ପ୍ରଫୁଲ୍ଲିତ ରୁହେ । ‘ଯୋଗ’ ର ଅର୍ଥ ହେଉଛି ଶରୀର, ମସ୍ତିଷ୍କ ଓ ଆତ୍ମାର ମିଳନ, ଯାହା ଜୀବନର ଆଦର୍ଶ ଅଟେ । ‘ଯୋଗ’ ଆମକୁ ଚେତନା ସ୍ତରକୁ ନେବା ସହ ସାମର୍ଥ୍ୟ ହାସଲ କରିବାକୁ ଆଗେଇ ନେଇପାରେ । ଯେତେବେଳେ ବିଶ୍ୱ କୋଭିଡ-୧୯ ମହାମାରୀ ବିରୋଧରେ ଲଢେ଼ଇ କରୁଛି, ସେହି ସମୟରେ ଯୋଗ ଏକ ଆଶା ଉଜ୍ଜୀବିତ କରିଛି । ଯୋଗ ଆମକୁ ମାନସିକ ଶାନ୍ତି ଚେତନା ଏବଂ ସୁସ୍ଥତା ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
Powered by Froala Editor