ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି

ଓଡ଼ିଶା ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଛନ୍ତି। କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋହନ୍ଙ୍କ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରିଛି। ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି କରିଛି। ସୁରମା ହେଉଛନ୍ତି ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନମଣ୍ଡଳୀର ବିଧାୟକ। ଦ୍ୱିତୀୟ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ବାଚସ୍ପତି ଘୋଷଣା ନେଇ ନୟାଗଡ଼ ଜିଲ୍ଲା ରଣପୁର ବିଧାୟିକା ସୁରମା ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ବିକଶିତ ଭାରତ, ବିକଶିତ ଓଡ଼ିଶା ଗଠନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି। ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର କାମ କରିବ। ଓଡ଼ିଶାରେ ବିକାଶ ଧାରା ଜାରି ରଖିବାକୁ ଉଦ୍ୟମ କରିବି। ଦଳ ଯେଉଁ ଦାୟିତ୍ବ ଦେବ, ତାହା ସୂଚାରୁ ରୂପେ ତୁଲାଇବି। ଅଧିବେଶନ ସମୟରେ ଗୃହ ଚଳାଇବା ପାଇଁ ଚ୍ୟାଲେଞ୍ଜ ପରିସ୍ଥିତିକୁ ସାମ୍ନା କରିବାକୁ ହୋଇଥାଏ। ମୁଲତବୀ, ହଟ୍ଟଗୋଳ ଓ ବିରୋଧୀଙ୍କୁ ପରିଚାଳନା କରିବା କଠିନ କାମ। ତଥାପି ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ଅଛି।
ସୁରମା ପାଢ଼ୀ ୧୯୬୦ ମସିହାର ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ। ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ। ୧୯୯୮ ମସିହାରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ। ୨୦୦୦ ମସିହା ପର୍ଯ୍ୟନ୍ତ ସେ ସେହି ପଦବୀରେ ରହିଥିଲେ। ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ।
Powered by Froala Editor