ଅରୁଣ ପଟ୍ଟନାୟକ ଧରିବେ କି ବିଜେଡି ମଙ୍ଗ !

ଚଳିତ ନିର୍ବାଚନରେ ବିଜେଡି ଭଳି ଆଞ୍ଚଳିକ ଦଳ ଭୁଶୁଡିପଡିଛି । ଦିୀର୍ଘ ୨୪ ବର୍ଷ ଶାସନରେ ରହିବା ପରେ ବି ଦଳ ବଡ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଯାହାକୁ ନବୀନଙ୍କ ଶୁଭେଚ୍ଛୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏଭଳି ସ୍ଥିତିରେ ତାଙ୍କ ଉତ୍ତରାଧିକାରୀ ଦଳର ମଙ୍ଗ ଧରନ୍ତୁ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି । ତେବେ ତାଙ୍କ ଉତ୍ତରାଧିକାରୀ କିଏ? ସେ ରାଜନୀତିକୁ ଏଯାଏ କାହିଁକି ଆସିନାହାନ୍ତି ବୋଲି ପ୍ରଶ୍ନ ଉଠିବା ପରେ କିଛି ୟୁଜର୍ସ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକଙ୍କ ନାଁ ସାମ୍ନାକୁ ଆଣିଛନ୍ତି ।
ଦୀର୍ଘ ୨୪ ବର୍ଷ ଧରି ସଫଳତା ପରେ ପ୍ରଥମ ଥର ପାଇଁ ଚରମ ବିଫଳତାର ସାମ୍ନା କରିଛି ବିଜେଡି । ଏହି ବିଫଳତା ପାଇଁ ନବୀନଙ୍କ ନିଷ୍କ୍ରିୟତା ଏବଂ ଭି.କେ. ପାଣ୍ଡିଆନ୍ଙ୍କ ଅତ୍ୟଧିକ ସକ୍ରିୟତାକୁ ଦାୟୀ କରାଯାଉଛି । ତେଣୁ ବିଜେଡିର ଲକ୍ଷାଧିକ କର୍ମୀ ଓ ସମର୍ଥକ ଏବେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । କାରଣ ଯେଉଁ ନବୀନଙ୍କ ନାଁରେ ଲୋକେ ବିଜେଡିକୁ ଏପର୍ଯ୍ୟନ୍ତ ଅକୁଣ୍ଠ ସମର୍ଥନ ଦେଇଆସୁଥିଲେ, ପାଣ୍ଡିଆନ୍ ସାମନାକୁ ଆସିବା ପରେ ତାହା ଆକ୍ରୋଶରେ ପରିଣତ ହୋଇଛି । ତାଙ୍କୁ ଓଡିଶାବାସୀ ବିଜେଡିର କ୍ଷମତାକେନ୍ଦ୍ର ଭାବେ ଦେଖିବାକୁ ଚାହୁଁନାହାଁନ୍ତି ବୋଲି ମଧ୍ୟ ସ୍ପଷ୍ଟ ହୋଇଯାଇଛି ।
ତେଣୁ ରାଜ୍ୟର ସମସ୍ତ ବିଜୁ ପ୍ରେମୀ ଏବେ ବିଜୁ ଜନତା ଦଳର ଉତ୍ତରାଧିକାରୀଙ୍କୁ ଦେଖିବାକୁ ଚାହୁଁଛନ୍ତି । କାରଣ ବୟସାଧିକ୍ୟ ଯୋଗୁଁ ନବୀନ ପଟ୍ଟନାୟକ ମଧ୍ୟ ଆଉ ଅଧିକ ଦିନ ଦଳର ସଭାପତି ଭାବେ ସକ୍ରିୟ ରହିପାରିବେନି ବୋଲି ସମସ୍ତେ ଅନୁଭବ କଲେଣି । ତେଣୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଅରୁଣ ପଟ୍ଟନାୟକ ଫ୍ୟାନ୍ କ୍ଲବ୍ । ଅରୁଣ ପଟ୍ଟନାୟକ ହେଉଛନ୍ତି ନବୀନଙ୍କ ପୁତୁରା ଅର୍ଥାତ୍ ତାଙ୍କ ବଡଭାଇ ପ୍ରେମ୍ ପଟ୍ଟନାୟକଙ୍କ ପୁଅ । ତେବେ ବିଜେଡିର ପରବର୍ତ୍ତୀ ଦାୟିତ୍ୱ କିଏ ନେବ ବା ଦଳର ଉତ୍ତରାଧିକାରୀ କିଏ ହେବ ତାହା ଓଡିଶାବାସୀ ସ୍ଥିର କରିବେ ବୋଲି ପୂର୍ବରୁ କହିସାରିଛନ୍ତି ନବୀନ ପଟ୍ଟନାୟକ ।
Powered by Froala Editor