ଫୁଲ ଗାଡ଼ିରେ ଗଞ୍ଜେଇ; ଦୁଇ ଗିରଫ

କଟକ: କଲିକତାରୁ ଆସୁଥିବା ଫୁଲ ଗାଡ଼ିରେ ଓଡ଼ିଶାରୁ ଚାଲାଣ ହେଉଥିଲା ୭ ଲକ୍ଷ ଟଙ୍କାର ଗଞ୍ଜେଇ। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ମଙ୍ଗୁଳି ଟୋଲ୍ ଗେଟ୍ ନିକଟରେ ଏକ ଟ୍ରକକୁ ଧରିବା ପରେ ଗଞ୍ଜେଇ ଚାଲାଣ କାରବାର ପର୍ଦ୍ଦାଫାଶ ହୋଇଛି। ବିଭାଗ ଏହି ମାମଲାରେ ଦୁଇ ଗଞ୍ଜେଇ ମାଫିଆ ପଶ୍ଚିମବଙ୍ଗ ପୂର୍ବ ମେଦିନିପୁରର ସେକ୍ ମୁକତାର(୨୯) ଏବଂ ଭୁବନେଶ୍ବର ମାଳିସାହିର ମେହେରୁନ୍ ବିବି(୪୯)କୁ ଗିରଫ କରିଛି। ଏମାନଙ୍କ ନିକଟରୁ ମୋଟ ୬୩ କେଜି ଗଞ୍ଜେଇ ଜବତ ହୋଇଛି।
ଆଜି ସକାଳେ ଏଭଳି ଗଞ୍ଜେଇ ଗାଡ଼ି ମଙ୍ଗୁଳି ଦେଇ ଯାଉଥିବା ସମ୍ପର୍କରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ଖବର ପାଇଥିଲେ। ଶ୍ରୀ ସାମଲଙ୍କ ନେତୃତ୍ବରେ ଇନସ୍ପେକ୍ଟର ରବିନାରାୟଣ ପ୍ରଧାନ, ଏଏସ୍ଆଇ ନିରଞ୍ଜନ ବେହେରା, କନଷ୍ଟେବଳ କିଶୋର ଚରଣ ରାଉତ, ଆଲୋକ କୁମାର ଖଟୁଆ, ଚନ୍ଦ୍ରଭାନୁ ଦାସ, ପ୍ରକାଶ କୁମାର ଶତପଥୀ, ରୀତାରାଣୀ ସେଠୀ ପ୍ରମୁଖ ଚଢ଼ଉ କରି ଦୁଇ ମାଫିଆଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
Powered by Froala Editor