ଯୁକ୍ତ୨ ମୋଟ ପାସହାର ୯୦%ରୁ ଅଧିକ ହେବ

ଭୁବନେଶ୍ୱର : ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥା’ନ୍ତି, ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମି ଯାଇଥାଏ । ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତା’ଠାରୁ ଅଧିକ ରହିବ । ଗତ ବର୍ଷଗୁଡ଼ିକରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ପାସ ହାର ୩୦ରୁ ୪୦ ପ୍ରତିଶତ ମଧ୍ୟରେ ହେଉଥିବା ବେଳେ ଏଥର ଆହୁରି ଅଧିକ ରହିବ ବୋଲି ଆଶା କରାଯାଉଛି । ଯୁକ୍ତ୨ରେ ମୋଟ ପାସହାର ୯୦%ରୁ ଅଧିକ ହେବ । ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହୁ ଆହୁରି କହିଛନ୍ତି ଯେ ପିଲାଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଯାଇଛି । ତେଣୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ଅଯଥା ଅମୂଳକ ଆଶଙ୍କା ସୃଷ୍ଟି କରାନଯାଉ । ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ଥିଓରି ପେପର ମୂଲ୍ୟାୟନ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅନୁଯାୟୀ ହେବ । ସେମାନେ ପୂର୍ବ ଯୁକ୍ତ୨ ପରୀକ୍ଷାରେ ପାଇଥିବା ମାର୍କ ଆଧାରରେ ସେମାନଙ୍କ ମୂଲ୍ୟାୟନ କରାଯିବ । ଇଲେକ୍ଟିଭ ପେପରଗୁଡ଼ିକରେ ସେମାନେ ସର୍ବୋଚ୍ଚ ମାର୍କ ପାଇଥିବା ଦୁଇଟି ବିଷୟର ମାର୍କର ହାରାହାରି ଏବଂ କେତେକ କ୍ଷେତ୍ରରେ ସର୍ବୋଚ୍ଚ ମାର୍କ ଆଧାରରେ ଫେଲ ପେପରଗୁଡ଼ିକ ପାଇଁ ମାର୍କ ଦେବାର ବ୍ୟବସ୍ଥା ରହିଛି । ତେଣୁ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଆତଙ୍କିତ ହେବାର କୌଣସି କାରଣ ନାହିଁ । ଯେଉଁ ପରୀକ୍ଷାର୍ଥୀ ବିକଳ୍ପ ମୂଲ୍ୟାୟନ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହିବେ, ସେମାନେ କରୋନା ପରିସ୍ଥିତି ସ୍ୱାଭାବିକ ହେବା ପରେ ଅଫଲାଇନ ପରୀକ୍ଷାରେ ଭାଗ ନେଇପାରିବେ ।
Powered by Froala Editor