ବିଜେଡି ଇସ୍ତାହାର ଓଡ଼ିଶାବାସୀଙ୍କ ପାଇଁ ଦେବ ସରପ୍ରାଇଜ:ପାଣ୍ଡିଆନ
ଗୋପାଳପୁର : ଖୁବ୍ ଶୀଘ୍ର ଆସିବ ବିଜେଡିର ଇସ୍ତାହାର। ଇସ୍ତାହାରରେ ବିଜେଡି ସରପ୍ରାଇଜ ଦେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି ସବୁବେଳେ କାମ ଦିଏ । ମୁଖ୍ୟମନ୍ତ୍ରୀ କଥାରେ ନୁହେଁ , କାମରେ ବିଶ୍ୱାସ କରନ୍ତି । ଯାହା କୁହନ୍ତି, ତାହା କରିକି ଦେଖାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାୱାରେ କଥା କୁହନ୍ତି ନାହିଁ, ଗ୍ରାଉଣ୍ଡରେ କାମ କରନ୍ତି । ଜୁନ ୪ ତାରିଖରେ ବିରୋଧୀଙ୍କୁ ଓଡ଼ିଶାବାସୀଙ୍କ ଉଚିତ୍ ଜବାବ ମିଳିଯିବ। ବୁଧବାର ଗୋପାଳପୁରରେ ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି ।
ସେହିପରି ସାମ୍ବାଦିକ ସମ୍ମିଳନୀରୁ ବିଜେପିକୁ ଟାର୍ଗେଟ କରି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ନିର୍ବାଚନ ଆସିଲେ ସେମାନଙ୍କର ଓଡ଼ିଶା, ଓଡ଼ିଆ ଭାଷା ପ୍ରତି ପ୍ରେମ ଆସେ। କିନ୍ତୁ ନିର୍ବାଚନ ପରେ ଭୁଲି ଯାଆନ୍ତି। ଓଡ଼ିଆ ଅସ୍ମିତାର କଥା କହୁଥିବା ବିଜେପି ନେତା କୁହନ୍ତୁ ସେମାନେ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି। ଓଡ଼ିଶା ସରକାର ଓଡ଼ିଆ ଭାଷାକୁ ନେଇ ବହୁତ କିଛି କରୁଛି, ଓଡ଼ିଆ ଭାଷା ସମ୍ମିଳନୀ କରି ପ୍ରଚାର ପ୍ରସାର କରାଯାଉଛି। ଓଡ଼ିଆ ଭାଷା ପାଇଁ ପିଲାଙ୍କୁ ସ୍କଲାରସିପ୍ ଦିଆଯାଉଛି। ଓଡ଼ିଆ ବିଶ୍ବବିଦ୍ୟାଳୟ କରାଯାଇଛି। କିନ୍ତୁ ବିଜେପି କେନ୍ଦ୍ରରେ ସରକାର ଆସିବା ପରେ ଓଡ଼ିଆ ଭାଷା ପାଇଁ ଟଙ୍କାଟିଏ ଦେଇନାହାନ୍ତି।
ଓଡ଼ିଆ ଭାଷା ୨୦୧୪ରେ ଉପା ସରକାର ସମୟରେ ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଲା। କିନ୍ତୁ ଏହାପରେ ବିଜେପିର ସରକାରକୁ ଆସିବାର ୧୦ ବର୍ଷ ହେଲାଣି, କିନ୍ତୁ ଟଙ୍କା ଟିଏ ଦେଲେନି। ଓଡ଼ିଆ ଭାଷାକୁ ଅଣଦେଖା କଲେ । ସଂସ୍କୃତକୁ ୧ ହଜାର କୋଟି, ତାମିଲ ଭାଷାକୁ ୮୦ କୋଟି ଦେଲେ ହେଲେ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ଅଣଦେଖା କଲେ। ରାଜ୍ୟବାସୀ ୮ ଜଣ ବିଜେପି ସାଂସଦଙ୍କୁ ଜିତାଇଲେ, ହେଲେ ସେମାନେ କିଛି କଲେନି। ଅନ୍ୟ ଶାସ୍ତ୍ରୀୟ ଭାଷାକୁ କେନ୍ଦ୍ର ସରକାର ଅନୁଦାନ ଦେଲେ ହେଲେ ଓଡ଼ିଆ ଭାଷା ପାଇଁ ବିଜେପି ସାଂସଦ ମୁହଁ ଖୋଲିଲେନି। ଅନ୍ୟ ରାଜ୍ୟକୁ ଟଙ୍କା ମିଳିଲା ଏମାନେ ଦେଖିଲେ। ଆଉ ଏବେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ।
Powered by Froala Editor